ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୂଆ ରାଷ୍ଟ୍ରପତି ବାଛିବେ ଆମେରିକାବାସୀ। କିଏ ଯିବେ ହ୍ୱାଇଟ ହାଉସ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର କମଳା ହ୍ୟାରିସ? ଜଣେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତ ଅନ୍ୟ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ଦକ୍ଷତା ଆଉ ଅଭିଜ୍ଞତାରେ କେହି କାହାକୁ କମ ନୁହଁନ୍ତି। ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର।
ନଭେମ୍ବର ୫ ଅର୍ଥାତ ମଙ୍ଗଳବାର ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆମେରିକାରେ ମତଦାନ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଭଭୟ ଟ୍ରମ୍ପ ଏବଂ କମଳା ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ପ୍ରକାର କଳବଳ କୌଶଳ ଖଟାଇ ଦେଇଛନ୍ତି।
ସୋମବାର ନିର୍ବାଚନ ପୂର୍ବ ଦିନ ସବୁଠାରୁ ମହତ୍ୱପୂର୍ଣ୍ଣ ରାଜ୍ୟ ପେନସିଲଭାନିୟାରେ ଦୁଇ ନେତା ଡେରା ପକାଇଥିଲେ। ଏଠାରେ ଉଭୟେ ଏକାଧିକ ସଭା କରିଥିଲେ। ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ମତ ରଖିଥିଲେ। ପେନସିଲଭାନିୟା ଏକ ସ୍ୱିଙ୍ଗ ଷ୍ଟେଟ ହୋଇଥିବାରୁ ଏହି ରାଜ୍ୟ ଉପରେ ଉଭୟ ଟ୍ରମ୍ପ ଓ କମଳା ଗୁରୁତ୍ୱ ଦେଉଛନ୍ତି।
ଟ୍ରମ୍ପ ସୋମବାର ୪ଟି ନିର୍ବାଚନୀ ସଭା କରିଥିଲେ। ୨ଟି ପେନସିଲଭାନିଆରେ ଥିବାବେଳେ ଅନ୍ୟ ଗୋଟିଏ ଉତ୍ତର କ୍ୟାରୋଲିନାରେ ଓ ଆଉ ଗୋଟିଏ ଗ୍ରାଣ୍ଡ ରେପିଡ୍ସରେ। ସେ ବିଳମ୍ବିତ ରାତିରେ ମିଶିଗନରେ ମଧ୍ୟ ସଭା କରିଥିଲେ।
ସେହିପରି କମଳା ହ୍ୟାରିସ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି। ଫିଲାଡେଲଫିଆର ମ୍ୟୁଜିୟମ ଅଫ ଆର୍ଟରେ ସେ ଶେଷ ନିର୍ବାଚନୀ କାର୍ଯ୍ୟକ୍ରମରେ ମତ ରଖିଛନ୍ତି। ଏଥିରେ ଲେଡି ଗାଗା, ଓପେରା ବିନଫ୍ରେ, ରିକି ମାର୍ଟିନଙ୍କ ଭଳି ସେଲିବ୍ରେଟି ସାମିଲ ହୋଇଥିଲେ।
କିଏ ଅଛି ଆଗରେ?
ବର୍ତ୍ତମାନ ସୁଦ୍ଧା ଆସିଥିବା ସର୍ଭେ ରିପୋର୍ଟ ଅନୁସାରେ ଉଭୟ ଟ୍ରମ୍ପ ଓ କମଳାଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଭୋଟରଙ୍କ ମତଦାନ ଏବଂ ସୁଇଂ ଷ୍ଟେଟ ଉପରେ ହିଁ ନିର୍ବାଚନର ଫଳାଫଳ ନିର୍ଭର କରିବ। ସେହିପରି ନ୍ୟୁୟର୍କ ଟାଇମ୍ସର ପୋଲ ଟ୍ରାକର ଅନୁଯାୟୀ, କମଳା ହ୍ୟାରିସ ଏବେ ବି ଟ୍ରମ୍ପଙ୍କ ଉପରେ ଭାରି ପଡୁଥିବା ଦେଖିବାକୁ ମିଳିଛି।
ସବୁ ସଂସ୍ଥାଙ୍କ ଆକଳନକୁ ହାରାହାରି ଭାବେ ହିସାବ କଲେ, ରାଷ୍ଟ୍ରପତି ନିର୍ବାଚନରେ କମଳା ହ୍ୟାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି। ତେବେ ଶେଷ ପର୍ଯ୍ୟାୟରେ ଟ୍ରମ୍ପଙ୍କ ଲୋକପ୍ରିୟତା ବଢ଼ିଥିବା ଦେଖିବାକୁ ମିଳୁଛି।
ଏକ ଆକଳନ ଅନୁସାରେ ଅକ୍ଟୋବର ୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ଏବଂ କମଳାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳୁଥିବାର ଦେଖିବାକୁ ମିଳିଥିଲା। ତେବେ ଗତ ମାସେ ମଧ୍ୟରେ ଟ୍ରମ୍ପ କରିଥିବା ନିର୍ବାଚନୀ ପ୍ରଚାରରେ ଲୋକଙ୍କ ନିକଟତର ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
କେମିତି ହୁଏ ଆମେରିକାର ରାଷ୍ଟ୍ରପତି ନିର୍ବାଚନ?
ଆମେରିକାରେ ସାଧାରଣ ଭୋଟର ସିଧାସଳଖ ରାଷ୍ଟ୍ରପତିଙ୍କୁ ଭୋଟ ଦେଇ ନିର୍ବାଚିତ କରନ୍ତି ନାହିଁ। ଭୋଟରମାନେ ଇଲେକ୍ଟର ଗ୍ରୁପକୁ ଭୋଟ ଦେବେ ଯିଏ ତାଙ୍କ ପସନ୍ଦ ଦଳର ପ୍ରତିନିଧିତ୍ୱ କରୁଥିବେ। ଏହି ଇଲେକ୍ଟର ନିଜ ରାଜ୍ୟ ଭିତରେ ଲୋକପ୍ରିୟ ଭୋଟ ଆଧାରରେ ରାଷ୍ଟ୍ରପତି ପାଇଁ ଭୋଟ ଦେବେ। ଏହି ପ୍ରକ୍ରିୟାକୁ ଇଲେକ୍ଟୋରାଲ ଭୋଟ କୁହାଯାଏ।
ଆମେରିକାରେ ୫୦ ରାଜ୍ୟରେ ମୋଟ ୫୩୮ଟି ଇଲେକ୍ଟୋରାଲ ଭୋଟ ଅଛି। ରାଷ୍ଟ୍ରପତି ପଦପାଇଁ ୨୭୦ ଇଲେକ୍ଟୋରଲ କଲେଜ ଭୋଟ ଦରକାର। ତେଣୁ ଯଦି ଜଣେ ପ୍ରାର୍ଥୀ ସାରା ଦେଶରେ କମ ପ୍ରତିଶତ ଭୋଟ ପାଏ କିନ୍ତୁ ଇଲେକ୍ଟୋରଲ କଲେଜରୁ ବହୁମତ ପାଇଯାଏ ତେବେ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଥାଏ।
ସମାନ ରହିବ କି ଫଳାଫଳ?
ସର୍ଭେ ରିପୋର୍ଟ ଅନୁସାରେ କମଳା ହ୍ୟାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ କଡ୍ଡା ଟକ୍କର। କମଳା ଯଦି ସ୍ୱିଙ୍ଗ ଷ୍ଟେଟ ୱିସ୍କନସିନ, ମିଶିଗନ ଏବଂ ପେନସିଲଭାନିଆ ରାଜ୍ୟରେ ଜିତି ଯାଆନ୍ତି ଏବଂ ଡୋନଲ୍ଡ ଟ୍ରମ୍ପ ଜର୍ଜିଆ, ନେଭେଡା, ଏରିଜୋନା, ନର୍ଥ କ୍ୟାରୋଲିନା ଏବଂ ନେବ୍ରାସ୍କାରେ ଜିତି ଯାଆନ୍ତି ତେବେ ଉଭୟ ୨୬୯-୨୬୯ ଆସନ ପାଇ ନିର୍ବାଚନ ଟାଏ ହୋଇପାରେ।
୨୦୦ ବର୍ଷ ପୁରୁଣା ଘଟଣାର ପୁନରାବୃତ୍ତି ହେବ କି?
ଆମେରକା ରାଜନୈତିକ ଇତିହାସରେ ରାଷ୍ଟ୍ରପତି ନିର୍ବାଚନ ଟାଏ ହେବା ଶେଷଥର ପାଇଁ ୧୮୦୦ ମସିହାରେ ଦେଖା ଦେଇଥିଲା। ସେତେବେଳେ କଂଗ୍ରେସକୁ ରାଷ୍ଟ୍ରପତି ବାଛିବା ପାଇଁ ପଡ଼ିଥିଲା। ସେତେବେଳେ ଥୋମାସ ଜେଫରସର ଏବଂ ସେ ସମୟରେ ରାଷ୍ଟ୍ରପତି ଥିବା ଜନ ଏଡମସଙ୍କ ମଧ୍ୟରେ ମୁକାବିଲା ହେଉଥିଲା। ସଦନରେ ସହମତି ଆଣିବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ୩୬ତମ ମତଦାନରେ ଜାଫରସନଙ୍କୁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଥିଲା।
ଏବେ ୨୦୦ ବର୍ଷରେ ସେହି ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ରହିଛି। ଯଦି ଉଭୟେ ଟ୍ରମ୍ପ-ହାରିସ ସମାନ ଭୋଟ ପାଆନ୍ତି ତେବେ କ’ଣ କରାଯିବ ? ଏଥିପାଇଁ ଆମେରିକାରେ କ’ଣ ରହିଛି ନିୟମ ?
ନିର୍ବାଚନ ଟାଏ ରହିଲେ ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀଙ୍କୁ ଆମେରିକାର ମୋଟ ୫୦ ରାଜ୍ୟ ମଧ୍ୟରୁ ପ୍ରାର୍ଥୀଙ୍କୁ ଅତିକମରେ ୨୬ ରାଜ୍ୟର ସମର୍ଥନ ଦରକାର। ପ୍ରତ୍ୟେକ ରାଜ୍ୟର ପ୍ରତିନିଧି ମଣ୍ଡଳ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଗୋଟିଏ ଭୋଟ ଦେବେ । ଏହି ଭୋଟ ଆଧାରରେ କିଏ ରାଷ୍ଟ୍ରପତି ହେବ ତା’ର ନିଷ୍ପତ୍ତି ନିଆଯିବ।
Tags: #USPresidentialElections2024 #KamalaHarris #DemocraticParty #DonaldTrump #RepublicanParty #Politics #USA