ଓଡ଼ିଶାଲାଇଭ୍ ବ୍ୟୁରୋ
ତାଙ୍କ ବ୍ୟାଟିଂରେ ରହିଛି ଯାଦୁ। ଥରେ ବ୍ୟାଟ ଚାଲିଲେ ମେସିନ ଭଳି ରନ୍ କରିଚାଲନ୍ତି। ସେ ଆଉ କେହି ନୁହନ୍ତି, ଭାରତୀୟ କ୍ରିକେଟର ବିରାଟ କୋହଲୀ। ମାତ୍ର ୧୯ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିବା ଏହି ଭାରତୀୟ ଷ୍ଟାର ଏହା ମଧ୍ୟରେ କ୍ରିକେଟରେ ଅନେକ ରେକର୍ଡର ମାଇଲ ଖୁଣ୍ଟ ଛିଡ଼ା କରି ସାରିଛନ୍ତି।
ବିରାଟ ୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ। ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ହୋଇଥିଲା ଭାରତ। ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୨୯୫ଟି ଦିନିକିଆ ମ୍ୟାଚ ଖେଳି ୧୩ ହଜାର ୯୦୬ ରନ କରିଛନ୍ତି। ଏଥିରେ ୫୦ଟି ଶତକ ଓ ୭୨ଟି ଅର୍ଦ୍ଧଶତକ ରହିଛି। ଦିନିକିଆରେ ମୋଟ ରନ ତାଲିକାରେ ସେ ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାରକାରାଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି।
ଏହାସହ ଟେଷ୍ଟରେ ୧୧୮ଟି ମ୍ୟାଚ ଖେଳି ୯ ହଜାର ୪୦ ରନ କରିଛନ୍ତି। ଯେଉଁଥିରେ ୨୯ଟି ଶତକ, ୩୧ ଅର୍ଦ୍ଧଶତକ ଓ ୭ ଦ୍ଵିଶତକ ରହିଛି। ସେହିପରି ସେ ଟି-ଟ୍ୱେଣ୍ଟିରେ ୧୨୫ଟି ମ୍ୟାଚ ଖେଳି ୪ ହଜାର ୧୮୮ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ କରିଛନ୍ତି।
ତେବେ ଆସନ୍ତୁ ଜାଣିବା ବିରାଟ କୋହଲୀ ନିଜ କ୍ରିକେଟ୍ କ୍ୟାରିୟରରେ ଆଜି ପର୍ଯ୍ୟନ୍ତ କରିଥିବା ରେକର୍ଡ।
ଗୋଟିଏ ବିଶ୍ଵକପରେ ସର୍ବାଧିକ ରନ
୨୦୨୩ ମସିହା ଦିନିକିଆ କ୍ରିକେଟ ବିଶ୍ଵକପରେ ବିରାଟ କୋହଲୀ ଧୂଆଁଧାର ରନ ବର୍ଷା କରି ୧୧ଟି ମ୍ୟାଚରେ ୭୬୫ ରନ ସଂଗ୍ରହ କରିଥିଲେ। ଏହାଦ୍ଵାରା ସେ ୨୦୦୩ ମସିହାରେ ସଚିନ ତେନ୍ଦୁଲକର କରିଥିବା ୬୭୩ ରନର ରେକର୍ଡକୁ ଭାଙ୍ଗି ଗୋଟିଏ ବିଶ୍ଵକପରେ ସର୍ବାଧିକ ରନ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ।
ଏହି ବିଶ୍ଵକପରେ ସେ ୩ଟି ଶତକ ସହ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏପରି କରିବାରେ ସେ ହେଉଛନ୍ତି ବିଶ୍ଵର ପ୍ରଥମ ଖେଳାଳି।
ଦିନିକିଆରେ ଦ୍ରୁତତମ ଶତକ
ଦିନିକିଆ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ବିରାଟ କୋହଲୀଙ୍କ ନାଁରେ ରହିଛି। ସେ ୫୨ ବଲ୍ରେ ଶତକ ହାସଲ କରିଥିଲେ। ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଶତକ ହାସଲ କରିଥିଲେ।
ଟେଷ୍ଟରେ ସର୍ବାଧିକ ଦ୍ଵିଶତକ
ଭାରତୀୟ କ୍ରିକେଟର ଭାବେ ଟେଷ୍ଟରେ ସର୍ବାଧିକ ଦ୍ଵିଶତକ କରିବାରେ ରେକର୍ଡ କରିଛନ୍ତି ବିରାଟ। ଟେଷ୍ଟ କ୍ୟାରିୟରରେ ସେ ୭ଟି ଦ୍ଵିଶତକ ହାସଲ କରିବା ସହ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସେ ପ୍ରଥମ ଦ୍ଵିଶତକ ଓ୍ଵେଷ୍ଟଣ୍ଡିଜ ବିପକ୍ଷରେ କରିଥିଲେ। ପରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଲେଖାଏଁ କରିଥିବାବେଳେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଦ୍ଵିଶତକ କରିଛନ୍ତି।
ଅଧିନାୟକ ଭାବେ ରେକର୍ଡ
- ଭାରତୀୟ ଅଧିନାୟକ ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ (୪୦) ଜିତିଥିବା ଖେଳାଳି।
- ଅଧିନାୟକ ହିସାବରେ ସର୍ବାଧିକ ଦ୍ଵିଶତକ।
- ପ୍ରଥମ ଅଧିନାୟକ ଭାବେ ଗୋଟିଏ ବର୍ଷରେ ୧୦ଟି ଶତକ କରିବାର ରେକର୍ଡ।
- ପ୍ରଥମ ଅଧିନାୟକ ଭାବେ ତ୍ରୁତତମ ୧୦୦୦, ୨୦୦୦, ୩୦୦୦ ଓ ୪୦୦୦ ରନ୍ କରିବାରେ ରେକର୍ଡ।
- ପ୍ରଥମ ଅଧିନାୟକ ଭାବେ ଗୋଟିଏ ସିରିଜର ଟେଷ୍ଟ ୩ଟି ମ୍ୟାଚରେ ଶତକ ହାସଲ।
- ଦିନିକିଆ ସିରିଜର ୩ଟି ମ୍ୟାଚରେ ଶତକ ହାସଲ କରିବାରେ ପ୍ରଥମ ଅଧିନାୟକ।
- ଦ୍ରୁତତମ ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୯ ହଜାର ରନ୍ ପୂରଣ କରିବାରେ ପ୍ରଥମ ଅଧିନାୟକ।
- ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଶତକ।
- ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ ସର୍ବାଧିକ ରନ୍।
- ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ଶତକ।
Tags: #ViratKohli #Birthday #Cricketer #Records #Cricket #India