ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ବିଧାନସଭାରେ ଗୁରୁବାର ଜୋରଦାର ହଙ୍ଗାମା ହୋଇଛି। ଧାରା ୩୭୦ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଏବଂ ବିରୋଧୀ। ଉଭୟ ପକ୍ଷର ନେତାଙ୍କ ମଧ୍ୟରେ ଠେଲାପେଲା, ଧକ୍କା ମରାମରି ହୋଇଛି। ବିଧାନସଭା ଗୃହ ପାଲଟିଛି ରଣକ୍ଷେତ୍ର।

ଗୁରୁବାର ବିଧାନସଭାରେ ବାରମୁଲା ସାଂସଦ ଇଞ୍ଜିନିୟର ରସିଦଙ୍କ ଭାଇ ତଥା ବିଧାୟକ ଖୁର୍ସିଦ ଅହମ୍ମଦ ଶେଖ ଜମ୍ମୁ କଶ୍ମୀରରେ ଧାରା ୩୭୦ ଏବଂ ୩୫ (ଏ) ପୁଣି ଲାଗୁ କରିବା ଦାବିରେ ବ୍ୟାନର ପୋଷ୍ଟର ଦେଖାଇଥିଲେ। ଏହାପରେ ସରକାରୀ ଏବଂ ବିରୋଧୀ ନେତାଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଗଲା। ବ୍ୟାନର ଦେଖାଯିବା ଘଟଣାକୁ ବିଜେପି ବିରୋଧ କରିଥିଲା।

ବିଜେପି ବିଧାୟକମାନେ ବିଧାୟକଙ୍କ ହାତରୁ ବ୍ୟାନର ନେଇ ଏହାକୁ ଚିରି ଦେଇଥିଲେ। ଏହାପରେ ଉଭୟ ପକ୍ଷର ନେତାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ଏପରି ସ୍ଥିତି ସୃଷ୍ଟି ହେଲା ଯେ ମାର୍ଶାଲଙ୍କୁ ଆଗକୁ ଆସିବାକୁ ପଡ଼ିଲା ଏବଂ ଗଣ୍ଡଗୋଳ କରୁଥିବା ବିଧାୟଙ୍କୁ ବାହାରକୁ ନେବାକୁ ପଡ଼ିଥିଲା। ପରେ ଗୃହକୁ ମୁଲତବୀ ରଖାଯାଇଥିଲା।

ଏ ପ୍ରସଙ୍ଗରେ ଖୁରସିଦ ଅହମ୍ମଦ ଶେଖ କହିଛନ୍ତି, “ମୁଁ କିଛି ଭୁଲ କରିନାହିଁ। ଜମ୍ମୁ କଶ୍ମୀର ବିଧାନସଭାର ଏହା ୫ ଦିନିଆ ଏକ ଛୋଟ ଅଧିବେଶନ ଚାଲିଛି। ହେଲେ ଏଥିରେ ଆମକୁ କହିବାକୁ ସୁଯୋଗ ଦିଆ ଯାଉନାହିଁ। ବ୍ୟାନର ଦେଖାଇବା ଛଡ଼ା ଆମ ପାଖରେ ଆଉ କିଛି ରାସ୍ତା ନ ଥିଲା। ଏଥିରେ କିଛି ବିବାଦୀୟ ପ୍ରସଙ୍ଗ ନ ଥିଲା। ଯାହା କଶ୍ମୀରର ଲୋକଙ୍କ ମନରେ ଥିଲା ତାହା ହିଁ ବ୍ୟାନରରେ ଲେଖା ଯାଇଥିଲା। ସେମାନେ ଧାରା ୩୭୦ ଫେରାଇ ଆଣିବାକୁ ଚାହାଁନ୍ତି। ହେଲେ ଏହାକୁ ବିଜେପି ହଜମ କରିପାରି ନ ଥିଲା। ତେଣୁ ବିଜେପି ବିଧାୟକମାନେ ହଙ୍ଗାମା ଆରମ୍ଭ କରିଥିଲେ। 

ବିଜେପି ନେତା ରବୀନ୍ଦ୍ର ରାଇନା କହିଛନ୍ତି, “ଜମ୍ମୁକାଶ୍ମୀରରେ ଧାରା ୩୭୦ ଇତିହାସ ହୋଇଗଲାଣି। ବିଧାନସଭାରେ ଏହି ପ୍ରସ୍ତାବକୁ ଅସାମ୍ବିଧାନିକ ଢଙ୍ଗରେ ଅଣାଯାଇଛି। ଏହାକୁ ଶୀଘ୍ର, ଗୁପ୍ତ ଭାବେ ଉପସ୍ଥାପନ କରି ନାସନାଲ କନଫରେନ୍ସ ଏବଂ କଂଗ୍ରେସ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚାହୁଁଛନ୍ତି।”  

ଜମ୍ମୁ କଶ୍ମୀର ବିଧାନସଭାର ଅଧିବେଶନ ଏବେ ଚାଲିଛି। ବୁଧବାର ଅଧିବେଶନର ତୃତୀୟ ଦିନରେ ଏଠାରେ ଜମ୍ମୁ କାଶ୍ମୀରରେ ପୁଣି ଧାରା ୩୭୦ ଲଗାଇବା ଲାଗି ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖା ଦେଇଥିଲା। ଶାସକ ନାସନାଲ କନଫରେନ୍ସ (ଏନସି) ଏହି ପ୍ରସ୍ତାବକୁ ପାରିତ କରିଥିଲା। ଏଥିରେ ଜମ୍ମୁକଶ୍ମୀର ସରକାର ପୁଣି ଧାରା ୩୭୦ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ନେଇ ଉଲ୍ଲେଖ ରହିଥିଲେ। ହେଲେ ବିଜେପି ଏହାକୁ ବିରୋଧ କରିଥିଲା।

Tags: #JammuKashmirAssembly #Article370 #MLAs #BJP #NC #Politics

LEAVE A REPLY

Please enter your comment!
Please enter your name here