ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ଏବେ ଆଂଶିକ ନ୍ୟାୟାଳୟ କାର୍ଯ୍ୟଦିବସ ନାମରେ ନାମିତ କରାଯାଇଛି। ଏଥିସହିତ ଅବକାଶକାଳୀନ ବିଚାରପତି ଶବ୍ଦକୁ ମଧ୍ୟ ଉଠାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ବଦଳରେ କେବଳ ବିଚାରପତି ଶବ୍ଦ ହିଁ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ସୁପ୍ରିମକୋର୍ଟଙ୍କର ଏପରି ପରିବର୍ତ୍ତନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହାକୁ ନେଇ ଆଲୋଚନା ହେଉଥିଲା ଯେ, ସୁପ୍ରିମକୋର୍ଟକୁ କାହିଁକି ଲମ୍ବା ଛୁଟି ମିଳୁଛି। ଏହି ଛୁଟି ସୁପ୍ରିମକୋର୍ଟ ନିୟମ ୨୦୧୩ ସଂଶୋଧନର ଏକ ଅଂଶ। ହେଲେ ଏହି ପରିବର୍ତ୍ତନ ପରେ ଏହା ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ସଂଶୋଧନ ନିୟମ ୨୦୨୪ ହୋଇଯିବ।
ନୂଆ ନିୟମ ଅନୁସାରେ ପ୍ରଧାନ ବିଚାରପତି ଆଂଶିକ କୋର୍ଟ କାର୍ଯ୍ୟଦିବସରେ କିମ୍ବା ଛୁଟିଦିନର ନୋଟିସ ପରେ ସମସ୍ତ ପଞ୍ଜୀକରଣ ଏବଂ ଜରୁରୀ ନିୟମିତ ମାମଲା ପାଇଁ ଜଣେ କିମ୍ବା ଏକାଧିକ ବିଚାରପତିଙ୍କୁ ଦାୟିତ୍ଵ ଦେଇପାରିବେ। ଏ ପ୍ରକାର ସମସ୍ତ ନିଷ୍ପତ୍ତି କେବଳ ପ୍ରଧାନ ବିଚାରପତି ହିଁ ନେବେ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ଛୁଟି ପ୍ରସଙ୍ଗ ଉପରେ ନିଜର ରାୟ ବ୍ୟକ୍ତ କରିଥିଲେ, “ବିଚାରପତିମାନେ ଛୁଟିରେ ବି ନିଜ କାମ ପ୍ରତି ସମର୍ପିତ। ସେମାନେ ଛୁଟିରେ ବି କୁଆଡ଼େ ବୁଲିବାକୁ ଯାଇପାରନ୍ତି ନାହିଁ କି ମଜାମସ୍ତି କରିପାରନ୍ତି ନାହିଁ। ଏପରିକି ସାପ୍ତାହିକ ଛୁଟି ଦିନରେ ବି ଅନେକ ସମୟରେ ବିଚାରପତିଙ୍କୁ କାମ କରିବାକୁ ପଡ଼ିଥାଏ।”
ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସୁପ୍ରିମକୋର୍ଟରେ ପ୍ରତିବର୍ଷ ଗ୍ରୀଷ୍ମକାଳୀନ ଅବସର ରହୁଥିଲା। ଅବଶ୍ୟ ଏହି ସମୟରେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ବନ୍ଦ ହୁଏନି। ଗ୍ରୀଷ୍ମକାଳୀନ ଛୁଟିରେ ପ୍ରଧାନ ବିଚାରପତି ଜରୁରୀ ମାମଲାର ଶୁଣାଣୀ ପାଇଁ ଅବକାଶକାଳୀନ ପୀଠ ସ୍ଥାପନା କରୁଥିଲେ। ତେବେ ଏହି ‘ଅବକାଶକାଳୀନ ପୀଠ’ ଶବ୍ଦକୁ ଏବେ ହଟାଇ ଦିଆଗଲା।
ସୁପ୍ରିମକୋର୍ଟରୁ ପ୍ରକାଶିତ ହେବାକୁ ଥିବା ୨୦୨୫ ବର୍ଷ ପାଇଁ ନୂଆ କ୍ୟାଲେଣ୍ଡରରେ ଆଂଶିକ କୋର୍ଟ କାର୍ଯ୍ୟ ଦିବସ ମେ’ ୨୬ରୁ ଆରମ୍ଭ ହୋଇ ୨୦୨୫ ଜୁଲାଇ ୧୪ରେ ଶେଷ ହେବ ବୋଲି ଉଲ୍ଲେଖ ରହିଛି।
Tags: #SupremeCourt #SummerHoliday #CJI #India