ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟକୁ ଲଜ୍ଜିତ କରିଛି କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଜଣେ କଲେଜ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ଉତ୍ତୋଳନ କରିଥିଲେ। ପରେ ଛାତ୍ରୀଙ୍କୁ ବ୍ଲାକ ମେଲ କରି ବାରମ୍ବାର ଦୁଷ୍କର୍ମ କରିଥିଲେ। କଟକ ବାଦାମବାଡ଼ି ଥାନାରେ ଏଭଳି ଅଭିଯୋଗ ହେବା ପରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରାଯାଇଛି।
କ’ଣ ଥିଲା ପୂରା ଘଟଣା?
ଗତ ଦୁର୍ଗାପୂଜା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେକୁ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳିବାକୁ ଯାଇଥିଲେ। ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗ ଯୁବତୀଙ୍କ ଅଜାଣତରେ ତାଙ୍କର କେତେକ ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ।
ଏହି ଭିଡିଓ ଦେଖାଇ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ଯୁବତୀଙ୍କୁ ବ୍ଲକ ମେଲ କରିବା ସହ ସେମାନେ କହିଥିବା ସ୍ଥାନରେ ପହଞ୍ଚିବାକୁ ବାଧ୍ୟ କରିଥିଲେ। ଯୁବତୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।
ଯୁବତୀ ଜଣକ ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ୬ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଜିରୋ ଟଲେରାନ୍ସ ନୀତି ରହିଛି। ଏହାକୁ ଦମନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କଟକ ଘଟଣାରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏଥିରେ କୌଣସି ଟଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #CuttackGangRapeCase #Crime #PoliceAction #Odisha