ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ନୂଆଁ ଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକଠାରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ବସଟି ରାଇକିଆରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ଵର ଅଭିମୁଖେ ଯାଉଥିଲା। ଶୁକ୍ରବାର ସକାଳେ ସୋରଡ଼ା ଛକ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ବସଟି ଓଲଟି ପଡ଼ିଥିଲା।
ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ସିଡ଼ି ପକାଇ ଲୋକଙ୍କୁ ବସ୍ ଭିତରୁ କାଢ଼ିବାକୁ ଚେଷ୍ଟା କରାଯାଉଛି। ବସ୍ ତଳେ କିଛି ଯାତ୍ରୀ ଛାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
Tags: #RoadAccident #Death #Injury #Nayagarh #BusAccident #Odisha