ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସ୍ଥାୟୀ କଫି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ପ୍ରୋଜେକ୍ଟ ଉନ୍ନତି କଫି’ର ଶୁଭାରମ୍ଭ ହୋଇଛି। ସମନ୍ଵିତ ସାମାଜିକ କଲ୍ୟାଣ ଏବଂ ଅନୁସନ୍ଧାନ କେନ୍ଦ୍ର (ଆଇଏସଡବ୍ଲୁଏଆର) ପକ୍ଷରୁ କୋରାପୁଟ ଜିଲ୍ଲାରେ ଏହାକୁ ଆରମ୍ଭ କରାଯାଇଛି। ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଥିଲେ।
‘ପ୍ରୋଜେକ୍ଟ ଉନ୍ନତି କଫି’ ଅନ୍ତର୍ଗତ ସ୍ଥାୟୀ ଅଭ୍ୟାସ ମାଧ୍ୟମରେ କଫି ଉତ୍ପାଦନ ଏବଂ ଲାଭ ବୃଦ୍ଧି କରି ଓଡ଼ିଶାର କୃଷକଙ୍କ ଜୀବନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ସହିତ ସମନ୍ଵିତ ଏହି ପ୍ରକଳ୍ପ, ବିଶେଷ କରି ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ଵାରା ସେମାନଙ୍କ ଅଞ୍ଚଳରେ କଫି ଉତ୍ପାଦନ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବ।
“ଆମର କଫି ଚାଷୀଙ୍କୁ ସହାୟତା କରିବା ତଥା ରାଜ୍ୟରେ ନିରନ୍ତର କୃଷି ବିକାଶ ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ଏହି ଯାତ୍ରାରେ ଆମେ ବେସରକାରୀ କମ୍ପାନିର ଅଂଶଗ୍ରହଣକୁ ସ୍ଵାଗତ କରୁଛୁ। ବିଶେଷ କରି କୋରାପୁଟ ଭଳି ଜିଲ୍ଲାଗୁଡ଼ିକରେ କଫି ଚାଷର ବିକାଶ ପାଇଁ ଏହି ପ୍ରକଳ୍ପ ଗୁରୁତ୍ଵପୂର୍ଣ୍ଣ। ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲୁଥିବା ପଦକ୍ଷେପ ସହ ଜାରି ରହିବ। ଚାଷୀମାନଙ୍କ ଆୟ ବୃଦ୍ଧି ଏବଂ କୋରାପୁଟ କଫି ବ୍ରାଣ୍ଡର ପ୍ରୋତ୍ସାହନ କ୍ଷେତ୍ରରେ ଏହା ବହୁଳ ସହାୟକ ହେବ”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ଏହି ପ୍ରକଳ୍ପ ଅଧୀନରେ ଆଇଏସଡବ୍ଲୁଏଆର ପକ୍ଷରୁ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ, ଯାହା ଆଧୁନିକ କୃଷି କୌଶଳ ଏବଂ ସ୍ଥାୟୀ ଅଭ୍ୟାସକୁ ଗୁରୁତ୍ଵ ଦେବ। ଏହି ପଦକ୍ଷେପ କୃଷକମାନଙ୍କୁ ସେମାନଙ୍କର କଫି ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ଅତ୍ୟାବଶ୍ୟକ ଜ୍ଞାନକୌଶଳ ଯୋଗାଇବ।
“ଏହି ସହଯୋଗ ମାଧ୍ୟମରେ କୋରାପୁଟରେ ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ଵାରା କଫି ଉତ୍ପାଦନ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନ ଏବଂ ଗୁଣବତ୍ତା ବୃଦ୍ଧି, କୃଷକ ଉତ୍ପାଦକ ସଂଗଠନକୁ ବିସ୍ତାର କରିବା ଏବଂ ବଜାର ସଂଯୋଗ ସ୍ଥାପନ କରି ଆମେ ଏକ ସ୍ଥାୟୀ ମଡେଲ ସୃଷ୍ଟି କରିପାରିବା। ଏହା କୃଷକ ଏବଂ ସ୍ଥାନୀୟ ଅର୍ଥନୀତିକୁ ଲାଭ ଦେବ”, କହିଛନ୍ତି ଆଇଏସଡବ୍ଲୁଏଆରର ସିଇଓ ପୀୟୁଷ ରଞ୍ଜନ ମିଶ୍ର।
‘ପ୍ରୋଜେକ୍ଟ ଉନ୍ନତି’ କୋକାକୋଲାର ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ। ଏହା ଅନ୍ତର୍ଗତ କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ଦୃଢ଼ କରିବା ଏବଂ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରି ଭାରତୀୟ କୃଷି ଇକୋସିଷ୍ଟମକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରୋଜେକ୍ଟ ଉନ୍ନତି ଭାରତର ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ସକ୍ଷମ କରିବା ସହିତ ସଶକ୍ତିକରଣ କରିବାରେ ସାହାଯ୍ୟ କରିଛି। ଏଥିରେ ଆମ୍ବ, ସେଓ, କମଳା, ଅଙ୍ଗୁର, ଲିଚି, କଫି ଏବଂ ଆଖୁ ଭଳି ୭ଟି ଫସଲ ପାଇଁ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି।
Tags: #ProjectUnnatiCoffee #CoffeeFarming #Farmers #ISWAR #Cocacola #Koraput #Odisha