ସତୀଶ ଶର୍ମା
ବିହାରର ରାଜଗିରରେ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଏସିୟନ ଚାମ୍ପିୟନ୍ସ ଟ୍ରଫି ହକି। ଏହି ପ୍ରତିଯୋଗିତା ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ସୁନେଲିତା ଟପ୍ପୋ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ମିଡଫିଲ୍ଡର ହେଉ କି ଫରୱାର୍ଡ, ୨ଟି ଯାକ ପୋଜିସନରେ ସମାନ ଦକ୍ଷତା ସହ ଖେଳିବାରେ ସମର୍ଥ ୧୭ ବର୍ଷୀୟ ସୁନେଲିତା। ଆସନ୍ତୁ ଜାଣିବା ତାଙ୍କ ହକି ଜୀବନ ବିଷୟରେ କିଛି ଅଜଣା କଥା।
ସୁନେଲିତାଙ୍କ ପ୍ରଦର୍ଶନ କେତେ ପ୍ରତିଭାଶାଳୀ ଏବଂ ପ୍ରଭାବଶାଳୀ ତାହାର ଏକ ନମୁନା ନିକଟରେ ହକି ଇଣ୍ଡିଆ ଲିଗ ପାଇଁ ଅନୁଷ୍ଠିତ ନିଲାମୀରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ଏସ ଜି ପାଇପର୍ସ ସୁନେଲିତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ୨୪ ଲକ୍ଷ ଟଙ୍କା ଗଣତି କରିଥିଲା। ଓଡ଼ିଶାର ମହିଳା ହକି ଖେଳାଳିଙ୍କ ମଧ୍ୟରେ ସେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ସମୃଦ୍ଧ ହକି ପରମ୍ପରାକୁ ଆହୁରି ସୁଦୃଢ଼ କରି ଆଗକୁ ନେଉଥିବା ସୁନେଲିତାଙ୍କ ଜନ୍ମ ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ଗ୍ରାମରେ ହୋଇଥିଲା। ସୁରେଶ ଟପ୍ପୋ ଓ ନେଲି ସୁନିତା ଟପ୍ପୋ ଘରେ ସେ ୨୦୦୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ।
ଏକ ଛୋଟିଆ ଗାଁ ହେଲେ ମଧ୍ୟ ହକି ଦୃଷ୍ଟି ରୁ ବିଶାଳ ଗାଁ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଗାଁ ରୁ ଅନେକ ଅନ୍ତର୍ଜାତୀୟ ଖେଳାଳି ବାହାରି ଛନ୍ତି। ଏଣୁ ଏଠାକାର ସମସ୍ତ ପିଲାଙ୍କ ପରି ସୁନେଲିତା ମଧ୍ୟ ୮ ବର୍ଷ ବୟସରୁ ହକି ପ୍ରେମରେ ପଡ଼ି ଯାଇ ଷ୍ଟିକ ଧରି ଥିଲେ।
ତାଙ୍କ ପ୍ରତିଭା ଶୀଘ୍ର ଲୋକଙ୍କ ଧ୍ୟାନ ଆକୃଷ୍ଟ କରି ଥିଲା। ଏହି ଅଞ୍ଚଳର ଅନେକ ଯୁବ ଉଦୀୟମାନ ଖେଳାଳିଙ୍କ ପରି ସୁନେଲିତା ମଧ୍ୟ ଏକ ନିମ୍ନ ଆୟ ପୃଷ୍ଠଭୂମିରୁ ଆସିଛନ୍ତି। ତେଣୁ ଜଣେ ବୃତ୍ତିଗତ ହକି ଖେଳାଳୀ ହେବାର ରାସ୍ତା ତାଙ୍କ ପାଇଁ ସହଜ ନଥିଲା।
“ଆର୍ଥିକ ପ୍ରତିବନ୍ଧକ ହେତୁ ମୋତେ ଏକ ପେସାଦାର ହକି ଖେଳାଳି ହେବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା, କିନ୍ତୁ ମୋ ପରିବାର ମୋତେ ବିଶ୍ୱାସ କଲେ, ସେମାନେ ମୋତେ ସମର୍ଥନ କଲେ ଏବଂ ତାଙ୍କ ସମର୍ଥନ ମୁଁ ଆଜି ଏଠାରେ ପହଞ୍ଚି ପାରିଛି”, କହିଛନ୍ତି ସୁନେଲିତା ଟପ୍ପୋ।
ସୁନେଲିତାଙ୍କ ହକି କ୍ୟାରିୟର
ଗାଁ ମଇଦାନରେ ତିନି ବର୍ଷ ଅଭ୍ୟାସ ପରେ ୨୦୧୧ରେ ସୁନ୍ଦରଗଡ଼ର ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏକାଡେମୀ ତାଲିମ କେନ୍ଦ୍ରରେ ପ୍ରବେଶ ପାଇଥିଲା ସୁନେଲିତା। ସୁନ୍ଦରଗଢ଼ରେ ତିନି ବର୍ଷ ବିତାଇବା ପରେ ସେ ବେଙ୍ଗାଳୁରୁ ସ୍ଥିତ ସାଇର ରାଷ୍ଟ୍ରୀୟ ଉତ୍କର୍ଷ କେନ୍ଦ୍ରକୁ ମନୋନୀତ ହୋଇଥିଲେ। ଏବେ ସେ ଏହିଠାରେ ହିଁ ପ୍ରଶିକ୍ଷଣ ନେଇଛନ୍ତି।
ବେଙ୍ଗାଳୁରୁରେ ହିଁ ସୁନେଲିତାଙ୍କ ହକି କୌଶଳ ଦ୍ରୁତ ଗତିରେ ବିକଶିତ ହେଲା। ଜାତୀୟ ଜୁନିୟର ହକିର ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚ କୋଟିର ପ୍ରଦର୍ଶନ ପରେ ୨୦୨୩ ଫେବ୍ରୁଆରି ମାସରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଥିବା ଭାରତୀୟ ଜୁନିୟର ଦଳରେ ସାମିଲ କରା ଗଲା।
ଦକ୍ଷିଣ ଆଫ୍ରିକା ଗସ୍ତ ପରେ ସୁନେଲିତା ଟପ୍ପୋ ଆଉ ପଛକୁ ଚାହିଁ ନଥିଲେ। ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦ୍ୱାରା ଅନେକଙ୍କୁ ପ୍ରଭାବିତ କରିଥିଲେ। ଶେଷରେ ତାଙ୍କୁ ଏପ୍ରିଲ୍ ୨୦୨୩ରେ ଜାତୀୟ ସିନିୟର ମହିଳା ପ୍ରଶିକ୍ଷଣ ଶିବିରରେ ମନୋନୀତ କର ଗଲା। ନିଜର ସଫଳତାର ମନ୍ତ୍ର ପ୍ରକାଶ କରି ସୁନେଲିତା କହିଛନ୍ତି ଯେ ତାଙ୍କ ପ୍ରଶିକ୍ଷକଙ୍କ ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହିଁ ତାଙ୍କ ଜୀବନକୁ ଭଲରେ ବଦଳାଇ ଦେଇଛି।
“ମୋର କୋଚ୍ ମୋତେ କହିଥିଲେ ଯେ ମୋର ଖେଳ ଭଲ କିନ୍ତୁ କଠିନ ପରିଶ୍ରମ ହିଁ ଜଣେ ବ୍ୟକ୍ତିଙ୍କୁ ସଫଳ କରିଥାଏ। ତେଣୁ ସେହି ପରାମର୍ଶ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସରଣ କରୁଛି ଏବଂ ସେଥିପାଇଁ ମୁଁ ସର୍ବଦା କଠିନ ପରିଶ୍ରମ କରୁଛି ଏବଂ ହକିରେ ମୋର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରି ଆସୁଛି”, କହିଛନ୍ତି ସୁନେଲିତା ଟପ୍ପୋ।
୨୦୨୩ରେ ସୁନେଲିତା ଜାପାନରେ ଅନୁଷ୍ଠିତ ଜୁନିୟର ମହିଳା ଏସୀୟ ହକି ଚମ୍ପିୟନସିପରେ ଅଂଶ ଗ୍ରହଣ କଲେ। ଏଥିରେ ଭାରତୀୟ ଦଳ ପ୍ରଥମ ଥରକ ପାଇଁ ସ୍ଵର୍ଣ୍ଣ ପଦକ ଜିତିଲା। ପରେ ଅଗଷ୍ଟ ମାସରେ ସେ ଚତୁର୍ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଜର୍ମାନୀ ଏବଂ ଡିସେମ୍ବର ମାସରେ ଦଶମ ଜୁନିୟର ମହିଳା ବିଶ୍ଵକପ ପାଇଁ ଚିଲିର ସାଣ୍ଟିଆଗୋ ଯାଇଥିଲେ।
ସୁନ୍ଦରଗଢ଼ ସାଇ ଛାତ୍ରାବାସର ବରିଷ୍ଠ ହକି କୋଚ ପି କେ ଷଡ଼ଙ୍ଗୀ କହିଛନ୍ତି, “ସୁନେଲିତା ଅତି ପ୍ରତିଭା ସମ୍ପନ୍ନ ହେବା ସହ ବହୁ ଆତ୍ମବିଶ୍ଵାସୀ ରହିଛନ୍ତି। କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ତାର ସାମନା କରିବା ପାଇଁ ସେ ପ୍ରସ୍ତୁତ ରହନ୍ତି। ଏହି ଗୁଣ ତାଙ୍କର ଦ୍ରୁତ ବିକାଶର ମୁଖ୍ୟ କାରଣ। ମୁଁ ଆଶା କରୁଛି ସେ ରାଜଗିରରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଏସିୟନ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ସହାୟକ ହେବ।”
ଚଳିତ ବର୍ଷର ପ୍ରାରମ୍ଭରେ ସୁନେଲିତା ଭାରତୀୟ ସିନିୟର ମହିଳା ଦଳରେ ପଦାର୍ପଣ କରି ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହୋଇଥିବା ଏଫଆଇଏଚ ପ୍ରୋ ଲିଗରେ ଖେଳିବାର ସୁଯୋଗ ପାଇଥିଲେ। ପରେ ଭାରତୀୟ ଦଳ ସହ ୟୁରୋପ ମଧ୍ୟ ଯାଇଥିଲେ। ଏବେ ସେ ଏସିୟନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାଗ ନେବାକୁ ଯାଉଛନ୍ତି।
(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)
Tags: #SunelitaToppo #HockeyPlayer #AsianChampionsTrophy #HockeyIndia #Sundargarh #Odisha