ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ବେଦାନ୍ତ କମ୍ପାନି ପକ୍ଷରୁ ମାନହାନି ନୋଟିସ ଦିଆଯାଇଛି। ସତ୍ୟ ପ୍ରକାଶଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବା ପାଇଁ ଚେତାବନୀ ଦେଇଛି ବେଦାନ୍ତ।  

ସତ୍ୟ ପ୍ରକାଶ ନାୟକଙ୍କ ସତ୍ୟପାଠ ନ୍ୟୁଜ ନିଜ ୟୁଟ୍ୟୁବ ଚାନେଲ ‘ଆଶ୍ ସିରିଜ’ ନାମରେ ଏକ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରକାଶ କରି ଆସୁଛି। ଏହି ସିରିଜରେ କିଛି ଦିନ ତଳେ ଝାରସୁଗୁଡ଼ାରେ ବେଦାନ୍ତର ପାଉଁଶ ପୋଖରୀ ସମ୍ପର୍କିତ ୩ଟି ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓ ପ୍ରକାଶ ପାଇବା ପରେ ବେଦାନ୍ତ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ସତ୍ୟ ପ୍ରକାଶଙ୍କୁ ନୋଟିସ ପଠାଇଛି ବେଦାନ୍ତ।

ସତ୍ୟପାଠ ନ୍ୟୁଜର ଭିଡିଓ ସିରିଜରେ ବେଦାନ୍ତ ବିରୋଧରେ ଯାହା ରିପୋର୍ଟ ଉପସ୍ଥାପନ କରିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କମ୍ପାନି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରି ଭିଡିଓ କମ୍ପାନିର ସମ୍ମାନ ହାନି କରିଛି। ୨୪ ଘଣ୍ଟା ମଧ୍ୟରେ ଏହାକୁ ତୁରନ୍ତ ହଟାଇବା ସହ କ୍ଷମା ପ୍ରାର୍ଥନା କରିବାକୁ ନୋଟିସରେ କୁହାଯାଇଛି। କମ୍ପାନିର ମାନହାନି ପାଇଁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି ବେଦାନ୍ତ।

କ’ଣ ରହିଛି ମାମଲା?

ସତ୍ୟପାଠ ନ୍ୟୁଜର ୟୁଟ୍ୟୁବ ଚାନେଲରେ ଗତ କିଛି ଦିନ ତଳେ ତିନୋଟି ଭିଡିଓ ପ୍ରକାଶ କରିଥିଲା। ଏହି ଭିଡିଓରେ ବେଦାନ୍ତ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଥିଲା। ଝାରସୁଗୁଡ଼ାର ଲଖନପୁର ବ୍ଲକ ଆମପାଲି ପଞ୍ଚାୟତରେ ବେଆଇନ ଭାବେ ବେଦାନ୍ତ ନିଜର ପାଉଁଶ ପୋଖରୀ କରିଛି ବୋଲି ଏଥିରେ ଅଭିଯୋଗ ହୋଇଥିଲା। ଏହି ପୋଖରୀରେ କମ୍ପାନି ଦିନକୁ ଶହଶହ ଟନ ପାଉଁଶ ଗଦା କରୁଛି। ଏଥିଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ପାଉଁଶ ସହରରେ ପରିଣତ ହୋଇଛି। ଏହାଦ୍ଵାରା ପରିବେଷ ପ୍ରଦୂଷିତ ହେବା ସହ ବ୍ୟାପକ ଫସଲ ହାନୀ ହେଉଥିବା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଭିଡିଓରେ ଉପସ୍ଥାପନ କରିଥିଲେ।  

ଏହି ପାଉଁଶ ପୋଖରୀ ବେଦାନ୍ତ କମ୍ପାନି ବେଆଇନ ଭାବେ କରିଛି ବୋଲି ସାମ୍ବାଦିକ ସତ୍ୟ ପ୍ରକାଶ ଦର୍ଶାଇବା ସହ ଏଥିରେ ରାଜନେତା, ପ୍ରଶାସକ ଏବଂ ସରକାରଙ୍କ ମିଳିତି ସହଯୋଗ ରହିଥିବା ଅଭିଯୋଗ କରିଥିଲେ।

ତେବେ ବେଦାନ୍ତ କମ୍ପାନି ସତ୍ୟ ପ୍ରକାଶଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି। ସରକାରଙ୍କ ସମସ୍ତ ନିୟମ ଅନୁଯାୟୀ କମ୍ପାନି ଏହି ଅଞ୍ଚଳରେ ତା’ର କାମ କରୁଛି ବୋଲି ନୋଟିସରେ କୁହାଯାଇଛି। ଏପରିକି କମ୍ପାନି ଦ୍ୱାରା ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଝାରସୁଗୁଡ଼ା ଅଞ୍ଚଳରେ ଲୋକଙ୍କ ସାମାଜିକ ଏବଂ ଆର୍ଥିକ ବିକାଶ ହୋଇପାରିଛି। ଏହାସହ କମ୍ପାନି ପରିବେଶ ସୁରକ୍ଷା ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଅଛି ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି।

ନଭେମ୍ବର ୨ ତାରିଖରେ ସତ୍ୟପାଠ ନ୍ୟୁଜ ପକ୍ଷରୁ ପ୍ରସାରିତ ଆଶ୍ ସିରିଜ ଭିଡିଓ କମ୍ପାନିର ସମ୍ମାନ ହାନି କରିବା ସହ ଭାବମୂର୍ତ୍ତିକୁ ନଷ୍ଟ କରିଛି ବୋଲି ଏହି ବେଦାନ୍ତ ପକ୍ଷରୁ ନୋଟିସରେ କୁହାଯାଇଛି। ଏପରିକି ଏହି ଖବରରେ କମ୍ପାନୀ ପକ୍ଷରୁ କୌଣସି ମତାମତ ନିଆଯାଇ ନାହିଁ। ଏହି ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରା ଯାଇଛି ବୋଲି କହିଛି ବେଦାନ୍ତ।

ତେଣୁ ସତ୍ୟପାଠ ନ୍ୟୁଜ ଏହି ସବୁ ଖବରକୁ ତୁରନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବା ସହ ଏପରି ମିଥ୍ୟା ଖବର ଛାପିଥିବାରୁ କ୍ଷମା ପ୍ରାର୍ଥନା କରୁ ବୋଲି ବେଦାନ୍ତ ଦାବି କରିଛି। ଏଥିସହିତ କମ୍ପାନୀର ମାନହାନି କରିଥିବାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି। ଏହା ନକଲେ ସତ୍ୟପାଠ ନ୍ୟୁଜ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି ବେଦାନ୍ତ। 

Tags: #SatyaPathaNews #DefamationNotice #Vedanta #Odisha

LEAVE A REPLY

Please enter your comment!
Please enter your name here