ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଜନଜାତୀୟ ଗୌରବ ଦିବସ ସମାରୋହକୁ ଉଦଘାଟନ କରିବେ। ଏହି ଅବସରରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏନେଇ ଶନିବାର ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।

“ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏହି ଅବସରରେ ରାଉରକେଲାରେ ରାଜ୍ୟ ସରକାର ଆୟୋଜନ କରୁଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ”, କହିଛନ୍ତି ରବି ନାରାୟଣ ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ। ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ହେବ। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ପେଶା ଆଇନ ତଥା ଜଙ୍ଗଲ ଅଧିକାର ଆଇନ ବିଷୟରେ ସଚେତନ କରିବା ପାଇଁ ଅନେକ ଗ୍ରାମ ସଭାର ଆୟୋଜନ ହେବ। ଓଡ଼ିଶାରେ ପ୍ରାୟ ୩୪ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର, ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ଆମେ ଗୁରୁତ୍ଵ ଦେଉଛୁ।”

ତେବେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ ନେଇ ବିସ୍ତୃତ ସୂଚନା ଆଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Tags: #NarendraModi #PMOIndia #OdishaVisit #JanajatiyGauravDibas #Odisha

Comment