ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବିଶାଲ ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ହେମନ୍ତ ଶର୍ମାଙ୍କ ସ୍ଥାନରେ ଏହି ଦାୟିତ୍ଵରେ ରହିବେ।
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସଞ୍ଜୟ କୁମାର ସିଂହକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ରାଜ୍ୟ ସରକାର ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି।
କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏହାସହ ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନର ଥିବା ଦେଓରଞ୍ଜନ କୁମାର ସିଂହକୁ ଓଡ଼ିଶା ଜଙ୍ଗଲ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ଅନ୍ୟପଟେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ଵତନ୍ତ୍ର ସଚିବ ଥିବା ଗୁହା ପୁନମ ତାପସ କୁମାରଙ୍କୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ ଏନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ନିଯୁକ୍ତ ହୋଇଛନ୍ତି।
Tags: #IASReshuffle #IASOfficers #Odisha