ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିଛି ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା। ସୋମବାର ଓ ମଙ୍ଗଳବାର ଉତ୍ତର ଇସ୍ରାଏଲର ହାଇଫା ସହର ଓ ଏହା ଆଖପାଖ ଅଞ୍ଚଳରେ ଶତାଧିକ ରକେଟ ମାଡ କରିଛି ହିଜବୁଲହା। ଅନେକ ଜନବହୁଳ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ୪ ଜଣ ନାଗରିକ ଆହତ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ହିଜବୁଲହା ପକ୍ଷରୁ ୮୦ଟି ରକେଟ ମାଡ଼ କରାଯାଇଥିଲା। ଏହାକୁ ଆକାଶ ମାର୍ଗରେ ପ୍ରତିରୋଧ କରିବାରେ ସଫଳ ହୋଇଥିଲା ଇସ୍ରାଏଲ ସେନା। ପରବର୍ତ୍ତୀ ପର୍ଯ୍ୟାୟରେ ଛଡ଼ାଯାଇଥିବା ଅନ୍ୟ ରକେଟକୁ ମଧ୍ୟ ରୋକି ଦିଆ ଯାଇଥିଲା। ହେଲେ କିଛି ରକେଟ ଜନବସତି ଅଞ୍ଚଳରେ ପଡ଼ିଥିଲା।

ଆକ୍ରମଣ ପରେ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, “ଉତ୍ତର ଇଜ୍ରାଏଲ ଉପରେ ହିଜବୁଲହା ମାଡ କରିଥିବା ରକେଟଗୁଡ଼ିକୁ ଆଇରନ ଡୋମ ସିଷ୍ଟମ ମାଧ୍ୟମରେ ରୋକି ଦିଆଯାଇଛି। ସେହିପରି ଲେବାନନରେ ରକେଟର ଲଞ୍ଚପ୍ୟାଡକୁ ମଧ୍ୟ ଡ୍ରୋନ ଆକ୍ରମଣରେ ନଷ୍ଟ କରିଦିଆ ଯାଇଛି।”

ତେବେ ଆକ୍ରମଣରେ ଇସ୍ରାଏଲର ରାସ୍ତାରେ ଥିବା ଅନେକ ଗାଡିରେ ନିଆଁ ଲାଗି ଯାଇଥିଲା। ଜନବସତି ଅଞ୍ଚଳରେ ଥିବା କେତେକ ଅଟ୍ଟାଳିକା ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଅନ୍ୟପଟେ ସାଉଦି ଆରବରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆରବ ଏବଂ ମୁସଲିମ ନେତାଙ୍କ ଶିଖର ସମ୍ମିଳନୀ ଉଦଘାଟନ କରି ଇଜ୍ରାଏଲ-ଗାଜା ଏବଂ ଲେବାନନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ଶେଷ କରିବା ଉପରେ ଜୋର ଦେଇଛନ୍ତି। ସୋମବାର ସଂଯୁକ୍ତ ଆରବ ଲିଗ ଏବଂ ଇସଲାମିକ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ପୂର୍ବରୁ କ୍ରାଉନ ପ୍ରିନ୍ସ ପାଲେଷ୍ଟାଇନ ଏବଂ ଲେବାନନ ଲୋକଙ୍କ ବିରୋଧରେ ହେଉଥିବା ନରସଂହାରର କଡ଼ା ନିନ୍ଦା କରିଥିଲେ।

Tags: #RocketAttack #Hezbollah #Lebanon #War #NorthenIsrael

LEAVE A REPLY

Please enter your comment!
Please enter your name here