ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୪୩ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ୪୬.୨୫ ପ୍ରତିଶତ ମତଦାନ ହୋଇଛି। ଅପରାହ୍ଣ ୫ଟା ଯାଏଁ ଏଠାରେ ମତଦାନ ଜାରି ରହିବ।
ପ୍ରଥମ ପର୍ଯ୍ୟାରେ ଝାଡ଼ଖଣ୍ଡ ମୋଟ ୧ କୋଟି ୩୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୬୮ ଲକ୍ଷ ୭୩ ହଜାର ପୁରୁଷ ଭୋଟର ରହିଥିବାବେଳେ ୬୮ ଲକ୍ଷ ୩୬ ହଜାର ମହିଳା ଭୋଟର ରହିଛନ୍ତି। ଏଥିପାଇଁ ୧୫,୩୪୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୨,୬୨୮ଟି ସହରାଞ୍ଚଳରେ ଓ ୧୨,୭୧୬ଟି ଗ୍ରାମାଞ୍ଚଳରେ ରହିଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪୩ଟି ବିଧାନସଭା ଆସନରେ ମୋଟ ୬୮୩ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ଝାଡ଼ଖଣ୍ଡରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ୨୮ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟିରେ ଭୋଟ୍ ଗ୍ରହଣ ହେଉଛି। ବିଜେପି ଏବଂ ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମଧ୍ୟରେ ଏହି ସବୁ ଆସନଗୁଡ଼ିକରେ ସିଧାସଳଖ ଲଢ଼େଇ ହେଉଥିବା ଦେଖିବାକୁ ମିଳୁଛି।
ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ବିଜେପି ଟିକେଟରେ ଲଢୁଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସାମିଲ ରହିଛନ୍ତି। ସେହିପରି ବର୍ତ୍ତମାନ ରାଜ୍ୟର ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାମଦାସ ସୋରେନ୍, ବନ୍ନା ଗୁପ୍ତା, ମିଥିଲେଶ ଠାକୁର, ଦୀପକ ବିରୁଆ ଓ ବୈଦନାଥ ରାମ ପ୍ରମୁଖ ମଇଦାନରେ ଅଛନ୍ତି।
ଅନ୍ୟପଟେରେ ବୁଧବାର ଭାରତର ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ସମେତ କେରଳର ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି। ୱାୟନାଡରେ କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଥମଥର ପାଇଁ ନିର୍ବାଚନୀ ମଇଦାନରେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି।
Tags: #JharkhandAssemblyElections2024 #Voting #Voters #ECI #Jharkhand #India