ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଶନିବାର ଦିନ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଥିବା ୧୬ ଜଣ ଶିଶୁଙ୍କୁ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିବେଳେ ଗୁରୁତର ଥିବା ୭ ଜଣ ନବଜାତ ଶିଶୁଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଭୟଙ୍କର ଅଘଟଣରୁ ୧୨ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶିଶୁ ଓ୍ଵାର୍ଡରେ ୫୪ରୁ ଅଧିକ ନବଜାତ ଶିଶୁ ଥିଲେ।

ମହାରାଣୀ ଲକ୍ଷ୍ମୀବାଈ ମେଡିକାଲରେ ସର୍ଟିସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେମିତି ଓ କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଲା ଏହାର ଯାଞ୍ଚ କରାଯାଉଛି ବୋଲି ଝାନ୍ସିର ଏସଏସପି କହିଛନ୍ତି।

ତେବେ ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ନର୍ସଙ୍କ ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।

ଏହି ଭୟଙ୍କର ଅଘଟଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରେଦଶ ସରକାର। ଏହା ସହ ଆହତ ଶିଶୁଙ୍କ ପରିବାର ଲାଗି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ୧୨ ଘଣ୍ଟା ମଧ୍ୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଝାନ୍ସିର ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #MassiveFire #MaharaniLaxmibaiMedicalCollege #Death #Jhansi #Uttarpradesh #UttarpradesCM #NewbornBaby

LEAVE A REPLY

Please enter your comment!
Please enter your name here