ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଏକ ଷ୍ଟାର୍ଟଅପ୍ କର୍ମଶାଳା ଆୟୋଜିତ ହୋଇଛି। ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ନବସୃଜନ, ଉଦ୍ୟୋଗୀକରଣ ଓ ଷ୍ଟାର୍ଟଅପ୍‌’ ବିଷୟବସ୍ତୁ ଉପରେ ଏହି କର୍ମଶାଳାଟି ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ଔଦ୍ୟୋଗିକ ଦକ୍ଷତା ପ୍ରଦାନ କରିବା ତଥା ସେମାନଙ୍କର ସୃଜନଶୀଳତାକୁ ଉତ୍ସାହିତ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ରହିଥିଲା।

କର୍ମଶାଳାରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଝାନ୍ସି ଲକ୍ଷ୍ମୀ, ସୋନି ସାମଲ ଓ ସିଦ୍ଧାନ୍ତ ଶତପଥୀ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

“ଡିଜିଟାଲ କ୍ଷେତ୍ରରେ ଦିନକୁ ଦିନ ନୂଆ ଉଦ୍ଭାବନ ଗଣମାଧ୍ୟମ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ଖବର ପରିବେଷଣ ପାଇଁ ଏବେ ଅନେକ ଗଣମାଧ୍ୟମ ସଂସ୍ଥା ଡିଜିଟାଲ ଟେକ୍ନଲୋଜିକୁ ଆପଣାଉଛନ୍ତି। ଏହାସହ ଔଦ୍ୟୋଗିକ ସାମ୍ବାଦିକତାରେ ଅନେକ ସମ୍ଭାବନା ରହିଛି। ଏହିପରି ଏକ କର୍ମଶାଳା ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିବ”, କହିଛନ୍ତି ଡକ୍ଟର ଆନନ୍ଦ ପ୍ରଧାନ।

ଏହି କର୍ମଶାଳାରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ୮ଟି ଗ୍ରୁପରେ ଭାଗ କରାଯାଇଥିଲା। ପରେ ପ୍ରତ୍ୟେକ ଗ୍ରୁପରୁ ଶିକ୍ଷାର୍ଥୀମାନେ ସେମାନଙ୍କର ସୃଜନଶୀଳତା ବିଚାରକ ମଣ୍ଡଳୀ ସାମ୍ନାରେ ରଖିଥିଲେ।

ଏହି କର୍ମଶାଳାକୁ ଆଇଆଇଏମସି ଢେଙ୍କାନାଳର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା ଓ ଏକାଡେମିକ୍ ତଥା ଟିଚିଂ ଆସୋସିଏଟ୍ ସନତ ପାଢ଼ୀ ପରିଚାଳନା କରିଥିଲେ। ଏହାସହ ସଂସ୍ଥାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  

Tags: #IIMCDhenkanal #StartupSeminar #StartupOdisha #Dhenkanal

Comment