ମିନତି ମିଶ୍ର
ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ। ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା। ଏ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ, ଗାଜା ଏବଂ ଲେବାନନରେ ଚାଲିଥିବା ଯୁଦ୍ଧ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଛି ପ୍ରସଙ୍ଗରେ ମତଭେଦ ପ୍ରକାଶ ପାଇଥିଲା ବେଳେ କେତେକ ପ୍ରସଙ୍ଗରେ ସହମତି ବି ମିଳିଥିଲା।
ବିଶ୍ୱ ଶାନ୍ତି ଉପରେ ଗୁରୁତ୍ୱ
ଜି-୨୦ ସମ୍ମିଳନୀରେ ପ୍ରମୁଖ ପ୍ରସଙ୍ଗ ଥିଲା ୟୁକ୍ରେନ ଯୁଦ୍ଧ। ଦିନକ ପୂର୍ବରୁ ଦୀର୍ଘ ଦୂରତାରୁ ମିସାଇଲ ଦ୍ୱାରା ରୁଷ ଉପରେ ଆକ୍ରମଣ କରିବା ପାଇଁ ଆମେରିକା କିଭକୁ ସବୁଜ ପତାକା ଦେଖାଇ ଦେଇଛି। ଏପଟେ ରୁଷ କହିଛି, ଏପରି ଆକ୍ରମଣ କଲେ ସେ ବି ପାଲଟା ଜବାବ ଦେବ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରାଜିଲ ସହ ମିଶି ରୁଷ ସହ ଶାନ୍ତି ବାର୍ତ୍ତା ଉପରେ ଜୋର ଦେବାକୁ କିଭକୁ ପରାମର୍ଶ ଦେଇଛନ୍ତି।
ବିଶ୍ୱ ନେତାମାନେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତିକୁ ସମର୍ଥନ କରୁଥିବା ସମସ୍ତ ପ୍ରାସଙ୍ଗିକ ଏବଂ ରଚନାତ୍ମକ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ସେହିପରି କ୍ଷେତ୍ରୀୟ ଅଧିଗ୍ରହଣ ପାଇଁ ବଳପ୍ରୟୋଗ ଧମକକୁ ମଧ୍ୟ ସମ୍ମିଳନୀରେ ନିନ୍ଦା କରାଯାଇଥିଲା। ତେବେ ରୁଷର ଆକ୍ରମଣକୁ ନେଇ କୌଣସି ଆଲୋଚନା ହୋଇନଥିଲା।
ଜି-୨୦ରେ ଗାଜା ଏବଂ ଲେବାନନରେ ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦିଆଯାଇଥିଲା। ଜାତିସଂଘର ପ୍ରସ୍ତାବ ଅନୁସାରେ ଗାଜାରେ ଯୁଦ୍ଧ ବିରତି ହେବା ଉଚିତ ବୋଲି ମତପ୍ରକାଶ ପାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ, ହମାସ ଦ୍ୱାରା ବନ୍ଧକ ଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରାଯିବା ପ୍ରତିବଦଳରେ ସ୍ଥାୟୀ ଯୁଦ୍ଧ ବିରତି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିସହିତ ଲେବାନନ ଯୁଦ୍ଧ ବିରତି ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।
ଧନୀ ଦେବେ ଅଧିକ ଟାକ୍ସ
ଅଧିକ ବିତ୍ତଶାଳୀ ଲୋକଙ୍କ ଆଖିଦୃଶିଆ ଟାକ୍ସ ଲଗାଯିବା ପ୍ରସଙ୍ଗ ଉପରେ ଶିଖର ସମ୍ମିଳନୀ ଉପରେ ଆଲୋଚନା ହୋଇଥିଲା। ଅର୍ଥନୀତିଜ୍ଞ ଗାବ୍ରିଏଲ ଜୁକମ୍ୟାନଙ୍କୁ ଏହି ଐତିହାସିକ ପ୍ରସଙ୍ଗ ଉପରେ ଏକ ରିପୋର୍ଟ ଲେଖିବା ପାଇଁ ଜି-୨୦ ପ୍ରେସିଡେନ୍ସି ଦ୍ୱାରା ମନୋନୀତ କରାଯାଇଥିଲା।
କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ମୋଦୀଙ୍କ ଆହ୍ୱାନ
କ୍ଷୁଧା ଓ ଦାରିଦ୍ର୍ୟର ମୁକାବିଲା ପ୍ରସଙ୍ଗ ଉପରେ ଜି-୨୦ରେ ବ୍ୟାପକ ଆଲୋଚନା ହୋଇଥିଲା। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଥିଲେ। ଭାରତ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିଛି। ଦେଶର ୮୦ ନିୟୁତ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଇଛି। ଏଥିସହିତ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଉପରେ ନରେନ୍ଦ୍ର ମୋଦୀ ବିସ୍ତୃତ ଆଲୋଚନା କରିଥିଲେ।
ଫ୍ୟାମିଲି ଫଟୋରୁ ବାଇଡେନ ଗାଏବ
ସମ୍ମିଳନୀରେ ଜି-୨୦ର ଏକ ଫ୍ୟାମିଲି ଫଟୋ ନିଆଯାଇଥିଲା। ହେଲେ ଫଟୋରେ ନଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ବାଇଡେନଙ୍କ ସହ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ଜର୍ଜିଆ ମେଲୋନୀ ମଧ୍ୟ ଏହି ଫଟୋରେ ନଥିଲେ। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।
ତେବେ ଆମେରିକାର ଅଧିକାରୀ ସ୍ପଷ୍ଟ କରିଥିଲେ, ଫ୍ୟାମିଲି ଫଟୋ ଶୀଘ୍ର ନିଆଯାଇଥିଲା। ସେ ସମୟରେ ବାଇଡେନ ସେଠାରେ ପହଞ୍ଚିପାରି ନଥିଲେ। ଅନ୍ୟପକ୍ଷେ ଆୟୋଜକ ବ୍ରାଜିଲ ପକ୍ଷରୁ କୁହାଯାଇଛି ଯେ, ବିଳମ୍ବରେ ଆସିବାରୁ ବାଇଡେନଙ୍କ ସମେତ କିଛି ବିଶ୍ୱନେତା ଫ୍ୟାମିଲ ଫଟୋରେ ସାମିଲ ହୋଇପାରି ନଥିଲେ। ଆଉ ଥରେ ସମସ୍ତଙ୍କୁ ନେଇ ଏକ ଫଟୋ ସେସନ କରିବା ପାଇଁ ଚେଷ୍ଟା କରାଯିବ। ଏପରି ହେଲେ ଏହା ଜି-୨୦ ଇତିହାସରେ ପ୍ରଥମ ଘଟଣା ହେବ।
ବ୍ରାଜିଲକୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବ୍ରାଜିଲ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ କରିଥିବାରୁ ରାଷ୍ଟ୍ରପତି ଲୁଇସ ଇନାସିଓ ଦା ସିଲଭାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେଇଥିଲେ । ଏଥିସହିତ ବ୍ରାଜିଲ ଜି-୨୦ ସମ୍ମିଳନୀର ଏଜେଣ୍ଡା ‘ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ’ କୁ ସେ ପ୍ରଶଂସା କରିଥିଲେ। ଜି-୨୦ ଅର୍ଥନୈତିକ ସଂଗଠନରେ ୧୯ଟି ଦେଶ ଏବଂ ୟୁରୋପୀୟ ସଂଘ ଓ ଆଫ୍ରିକୀୟ ସଂଘ ସାମଲ ଅଛନ୍ତି। ଏହି ସମ୍ମିଳନୀରେ ବ୍ରାଜିଲ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ରୁଷ, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଆଦି ଦେଶ ଯୋଗ ଦେଇଥିଲେ।
Tags: #G-20Summit #Brazil #PMNarendraModi #KicksoffHunger