ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ଯୋଗ ଦେଇ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିଥିଲେ।  

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଏକ ସ୍ଵତନ୍ତ୍ର ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ। ଏହାସହିତ ଓଡ଼ିଆରେ ମୋନୋଗ୍ରାଫ୍, ‘ଗାଁ ମଜଲିସ’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଥିଲା।

“ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଥିଲେ। ଓଡ଼ିଶାର ବିଭିନ୍ନ ଗଡ଼ଜାତ ରାଜ୍ୟକୁ ଏକତ୍ରିତ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥିଲେ। ଜଣେ ମହାନ ରାଷ୍ଟ୍ରନେତା, ସ୍ଵାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ। ୧୯୩୮ ମସିହାରେ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ। ହୀରାକୁଦ ଡ୍ୟାମ୍‌ ଏବଂ ଓଡ଼ିଶା ଭାଷା ପ୍ରତି ତାଙ୍କ ଅବଦାନକୁ କେହି ବି ଭୁଲି ପାରିବେ ନାହିଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

‘ଉତ୍କଳ କେଶରୀ’ ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ଏକାଧାରାରେ ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ। ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ଏବଂ ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ସକ୍ରିୟତା ଅତୁଳନୀୟ।

ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଶିଳ୍ପାୟନ ଏବଂ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ୧୯୬୨ ମସିହାରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାହିତ୍ୟ ରଚନା କ୍ଷେତ୍ରରେ ରୁଚି ରଖୁଥିଲେ। ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ।

Tags: #DrHarekrushnaMahatab #BirthAnniversary #FirstCMofOdisha #UtkalKeshari #Odisha

LEAVE A REPLY

Please enter your comment!
Please enter your name here