ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଡିମଡ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅନୁପମା ଭଟନାଗର ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ସେ ସଂସ୍ଥାନରେ ଚାଲିଥିବା ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ ଦେଖିଥିଲେ।

ଏହି ଗସ୍ତ ଅବସରରେ ଡକ୍ଟର ଅନୁପମା ଭଟନାଗର ଆଇଆଇଏମସି ଢେଙ୍କାନାଳର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଙ୍କ ସହ ସ୍ଵତନ୍ତ୍ର ଭାବେ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ କଥା ହୋଇଥିଲେ।

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଡକ୍ଟର ଅନୁପମା ଭଟନାଗର କହିଛନ୍ତି, “ନିଜ ଜୀବନରେ ନୂଆ ନୂଆ କଥା ବିଷୟରେ ଜାଣିବାର ଆଗ୍ରହ ବଢ଼ାଅ। ନୂଆ ନୂଆ କଥା ଶିଖ ଆଉ ତାକୁ ଯୋଗାଯୋଗ ଓ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିବାକୁ ଚେଷ୍ଟା କର। ଏହାସହ ସବୁଠୁ ବଡ଼ କଥା ହେଉଛି ସାଧନା। ଏବେଠୁ ବିଭିନ୍ନ ବିଷୟରେ ଅଧ୍ୟୟନ କରି ସେ ସମ୍ପର୍କରେ ଲେଖିବା ସହ ଅଡିଓ-ଭିଜୁଆଲ ବିଷୟବସ୍ତୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସମୟକୁ ଠିକ୍ ଭାବରେ ଉପଯୋଗ କରି ନିଷ୍ଠାର ସହ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ।”

ଏହି ଗସ୍ତ ସମୟରେ ଡକ୍ଟର ଅନୁପମା ଭଟନାଗର ଆଇଆଇଏମସିର ଅତିରିକ୍ତ ମହାନିର୍ଦ୍ଦେଶକ ଡକ୍ଟର ନିମିଶ ରସ୍ତୋଗୀ ଓ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନଙ୍କ ସହ ଆଇଆଇଟି ଭୁବନେଶ୍ୱର, ଏନଆଇଏଫଟି ଭୁବନେଶ୍ୱର ଯାଇ ସେଠାରେ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

୨୦୨୪ ଜାନୁଆରି ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଇଆଇଏମସିକୁ ଡିମଡ୍ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳିଥିଲା। ଡକ୍ଟର ଅନୁପମା ଭଟନାଗର ଏହାର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଥିଲେ।

Tags: #DrAnupamaBhatnagar #IIMCDeemedUniversity #IIMCDhenkanal #Odisha

LEAVE A REPLY

Please enter your comment!
Please enter your name here