ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ମାଓବାଦୀମାନେ ଓଡ଼ିଶାରୁ ଛତିଶଗଡ଼କୁ ଯାଉଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।
ଶୁକ୍ରବାର ସକାଳେ କୁମ୍ବିଂ ଅପରେସନବେଳେ ସୁକମା ଜିଲ୍ଲାର କୋଣ୍ଟା ନିକଟସ୍ଥ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଡିଆରଜି ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୧୦ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।
ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା। ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ଅନ୍ୟ ମାଓବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
Tags: #Police-MaoistEncounter #Maoists #Sukma #Chhattisgarh