ମିନତି ମିଶ୍ର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳା ସାମ୍ନାକୁ ଆସି ସାରିଛି। ଗତ ଲୋକସଭା ନିର୍ବାଚନରେ ଏଠାରେ ବେଶ ଭଲ ପ୍ରଦର୍ଶନ କରିଥିବା ମହାବିକାଶ ଅଘାଡି ଏହି ନିର୍ବାଚନରେ ଶୋଚନୀୟ ଭାବେ ହାରିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଏନଡିଏ ମେଣ୍ଟ ମହାୟୁତିକୁ ମିଳିଛି ବିପୁଳ ସମର୍ଥନ। ଏତେ ବିପୁଳ ସମର୍ଥନ ମିଳିବ ବୋଲି କେହି କେବେ ଆଶା କରି ନ ଥିଲେ । ଅଧିକାଂଶ ସଂସ୍ଥାର ଏକଜିଟ ପୋଲରେ ଆକଳନ କହୁଥିଲା ମହାରାଷ୍ଟ୍ରରେ ମହୟୁତି ସରକାର ଗଢ଼ିବ, ହେଲେ ବ୍ୟବଧାନ ଏତେ ବେଶି ରହିବ ବୋଲି କେହି ବି ଭବିଷ୍ୟବାଣୀ କରିନଥିଲେ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନରୁ ୨୨୯ ଆସନରେ ମହାୟୁତି ମେଣ୍ଟ ଆଗରେ ଚାଲିଛି। ସେଥିରୁ ବିଜେପି ୧୩୨ଟି, ଶିବସେନା ୫୬ଟି ଓ ଏନସିପି ୪୧ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ମହାବିକାଶ ଅଘାଡ଼ି ମାତ୍ର ୫୦ଟି ଆସନରେ ଆଗୁଆ ରହିଛି। ସେଥିରୁ ଉଦ୍ଧବ ଠାକରେଙ୍କ ଶିବସେନା ୨୦ଟି, କଂଗ୍ରେସ ୧୬ଟି ଓ ଶରଦ ପାୱାରଙ୍କ ଏନସିପି ୧୦ ଆସନରେ ଆଗୁଆ ରହିଛି।
ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରତ ପାୱାର ମଧ୍ୟ ନିର୍ବାଚନ ଫଳାଫଳ ଦେଖି ସ୍ତବ୍ଧ। ପାଖାପାଖି ୫ ଦଶକରେ ମହାରାଷ୍ଟ୍ର ରାଜନୀତିରେ କେନ୍ଦ୍ରରେ ଥିବା ଶରତ ପାୱାରଙ୍କ ଏନସିପିର ହାତ ଗଣତି କେତେ ଜଣ ନେତା ଜିତିଛନ୍ତି। ୫୦ ବର୍ଷର ରାଜନୈତିକ କ୍ୟାରିଅରରେ ପ୍ରଥମ ଥର ପାଇଁ ଏପରି ଶୋଚନୀୟ ଭାବେ ହାରିଛନ୍ତି ଶରତ ପାୱାର। ମହାଅଘାଡି ମେଣ୍ଟରେ ଥିବା ଶରତ ପାୱାରଙ୍କ ଏନସିପି ୮୬ ଆସନରେ ନିର୍ବାଚନ ଲଢୁଥିବାବେଳେ ସହଯୋଗୀ କଂଗ୍ରେସ ୧୦୨ ଏବଂ ଶିବସେନା ୯୨ ଆସନରେ ପ୍ରାର୍ଥୀ ଦେଇଥିଲା । ତେବେ ସବୁଠାରୁ ଶୋଚନୀୟ ପରାଜୟ ହୋଇଛି ଏନସିପିର।
କାହିଁକି ହାରିଲା ମହାବିକାଶ ଅଘାଡି?
ଦେଖବାକୁ ଗଲେ, ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପି ଏହି ନିର୍ବାଚନରେ ଯେପରି ଏକଜୁଟ ହେଇ ନିର୍ବାଚନ ଲଢିଲେ, ମହାବିକାଶ ଅଘାଡିରେ ତାହା ଦେଖିବାକୁ ମିଳି ନଥିଲା। ବିଜେପି, ଶିବସେନା, ଏବଂ ଏନସିପିର ମହାୟୁତି ନିଜ ଯୋଜନା ଏବଂ ମନର କଥାକୁ ଜନତାଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଥିଲେ।
ଅନ୍ୟପକ୍ଷେ ମହାବିକାଶ ଅଘାଡିରେ ଦଳୀୟ ଅସନ୍ତୋଷ, ପରସ୍ପର ପ୍ରତି ଆକ୍ଷେପ, ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା । ଏପରିକି ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡିରେ ଅନେକ ଥର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୟାନବାଜି ହୋଇଥିବା ଦେଖିବାକୁ ମିଳିଥିଲା ଯାହାକି ଜନମତ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ମହାବିକାଶ ଅଘାଡି ପାଖରେ ଲୋକଙ୍କୁ ଏକାଠି କରିବା ପରି ନିର୍ବଚନୀ ପ୍ରସଙ୍ଗର ଅଭାବ ଥିଲା। କାରଣ ଏହାର ସହଯୋଗୀ ଦଳ ଅଲଗା ଅଲଗା ପ୍ରସଙ୍ଗ ଉପରେ ନିଜ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲେ। ଏହାର ଘୋଷଣାପତ୍ରରେ ବିରୋଧୀ ମେଣ୍ଟ ମହାୟୁତି ନୀତିର ଝଲକ ଦେଖିବାକୁ ମିଳିଥିଲା। ହେଲେ ନିଜସ୍ୱ ଦୃଷ୍ଟିକୋଣକୁ ଦେଖିବାକୁ ମିଳି ନ ଥିଲା।
ସେହିପରି ସୋୟାବିନ, କପା ତଥା ପିଆଜ ଚାଷୀଙ୍କ ସମସ୍ୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ନ ଥଲା ଅଘାଡି ଦଳ। ଫଳରେ ଗ୍ରାମୀଣ ଅଞ୍ଚଳର ଚାଷୀ କ୍ଷୁବ୍ଧ ହୋଇଥିଲେ। ଏହାଛଡା ଉଦ୍ଧବ ଠାକରେଙ୍କ ଡିଫେନ୍ସିଭ ରଣନୀତି କାରଣରୁ ତାଙ୍କର ଦଳ ଜନତାଙ୍କ ସହାନଭୂତି ହରାଇଲା। ଯାହା ଫଳରେ ମହାବିକାଶ ଅଘାଡି ନିର୍ବାଚନରେ ଏପରି ଶୋଚନୀୟ ଭାବେ ପରାଜୟକୁ ସାମ୍ନା କଲା ବୋଲି ରାଜନୈତିକ ସମାଲୋଚକମାନେ କହିଛନ୍ତି।
ବିଜେପିର ଷ୍ଟ୍ରାଇକ ରେଟ୍ ୯୦ ପ୍ରତିଶତ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ଷ୍ଟ୍ରାଇକ ରେଟ୍ ୯୦ ପ୍ରତିଶତ ରହିଛି। ୧୪୫ ଆସନ ପାଇଁ ପ୍ରାର୍ଥୀ ଦେଇଥିଲା ବିଜେପି। ଏଥିରୁ ୧୩୨ ଆସନରେ ଆଗରେ ରହିଛି। ସେହିପରି ଶିବସେନାର ସିନ୍ଦେ ଦଳ ୮୧ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସେଥିରୁ ୫୬ଟି ଆସନରେ ଆଗୁଆ ରହିଛି। ଦଳର ଷ୍ଟ୍ରାଇକ ରେଟ ପ୍ରାୟ ୭୦ ପ୍ରତିଶତ ରହିଛି। ସେହିପରି ଏନସିପିର ଅଜିତ ପୱାରଙ୍କ ଦଳ ୫୯ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୪୧ ଜଣ ପ୍ରାର୍ଥୀ ଆଗରେ ଚାଲିଛନ୍ତି। ଏଠାରେ ଏନସିପିର ଷ୍ଟ୍ରାଇକ ରେଟ ପ୍ରାୟ ୭୦ ପ୍ରତିଶତ ରହିଛି।
Tags: #MaharashtraAssemblyElections2024 #Results #Voters #ECI #Maharashtra #India