ମିନତି ମିଶ୍ର

ଭାରତର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି। ଦିଲ୍ଲୀବାସୀଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ଦିଲ୍ଲୀର ପ୍ରଦୂଷଣ ଏତେ ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଛି ଯେ, ଅନ୍ତର୍ଜାତୀୟ ସ୍ତରରେ ବି ଚିନ୍ତା ପ୍ରକଟ କରାଯାଇଛି।

ଏପରି ସ୍ଥିତିରେ ଆଶ୍ୱାସନା ଦେବା ପରି ଏକ ତଥ୍ୟ ସାମ୍ନାକୁ ଆସିଛି। ସଠିକ ଉପାୟରେ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରାଯାଏ ତେବେ ଆଜିର ଦିଲ୍ଲୀ ହୁଏତ ଦିନେ ବିଶ୍ୱର ସବୁଠାରୁ ସର୍ବୋତ୍ତମ ସହରର ମାନ୍ୟତା ପାଇପାରିବ। ଏପରି କଳ୍ପନା ଆଦୌ ଅସମ୍ଭବ ନୁହେଁ। କାରଣ ଆଜି ଯାହାକୁ ଆପଣ ବିଶ୍ୱର ସବୁଠାରୁ ଭଲ ସହର ବୋଲି କହୁଛନ୍ତି ତାହା ମଧ୍ୟ ଦିନେ ଏମିତି ବିଷାକ୍ତ ସହର ଥିଲା। 

ଆମେ ଏଠାରେ ବ୍ରିଟେନର ରାଜଧାନୀ ଲଣ୍ଡନ କଥା କହୁଛୁ। ଲଣ୍ଡନ ଏବେ ଦଶମ ଥର ପାଇଁ ବିଶ୍ୱର ସର୍ବୋତ୍ତମ ସହର ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ନ୍ୟୁୟର୍କ, ପ୍ୟାରିସ, ଟୋକିଓ ପରି ନାମୀଦାମୀ ସହରକୁ ପଛରେ ପକାଇ ଦେଇଛି ଲଣ୍ଡନ। ଦୁଃଖର କଥା ଏହି ତାଲିକାରେ ଭାରତର କୌଣସି ସହର ନାହିଁ। ପ୍ରଦୂଷଣ ସହ ଲଢୁଥିବା ଦିଲ୍ଲୀ ହେଉ କିମ୍ବା ମୁମ୍ବାଇ କେହି ବି ଏହି ତାଲିକାର ଟପ୍ ୧୦୦ରେ ବି ସ୍ଥାନ ପାଇନାହାନ୍ତି।

 ଏହି ତାଲିକା ରେଜୋନେନ୍ସ ନାମକ ଏକ ଗ୍ଲୋବାଲ ଆଡବାଇଜର କମ୍ପାନୀ ପକ୍ଷରୁ କରାଯାଇଛି। ୧୦ ଲକ୍ଷରୁ ଅଧିକ ଲୋକ ସଂଖ୍ୟା ଥିବା ସହରକୁ ଏଥିରେ ସ୍ଥାନ ଦିଆଯାଇଛି। ଅନେକ ଗୁଡ଼ିଏ ଦିଗକୁ ଧ୍ୟାନରେ ରଖି ଶ୍ରେଷ୍ଠ ସହରର ତାଲିକା ପ୍ରସ୍ତୁତ କରାଯାଇଥାଏ। ୨୦୨୪ର ଏହି ରିପୋର୍ଟ ୨୧ ଦେଶର ୨୨ ହଜାର ଲୋକଙ୍କ ମତାମତକୁ ନେଇ କରାଯାଇଛି। ଯେଉଁ ସହରକୁ ସାରା ବିଶ୍ୱର ଲୋକ ଭ୍ରମଣ ପାଇଁ ଆସନ୍ତି କିମ୍ବା ଏଠାରେ ରହି କାମ କରନ୍ତି ସେହି ସହରକୁ ତାଲିକାର ଅନ୍ତର୍ଭୁକ୍ତ କରାଯାଇଥାଏ।

ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ଲଣ୍ଡନ ଆଜି ତାଲିକାର ଶୀର୍ଷରେ ଅଛି ୧୯୫୨ରେ ଏହି ସହରରେ ‘ଦ ଗ୍ରେଟ ସ୍ମଗ ଅଫ ଲଣ୍ଡନ’ ପରି ଘଟଣା ଘଟିଥିଲା। ଏହି ଧୁଆଁରେ ଜଣେ ବା ଦୁଇଜଣ ନୁହଁନ୍ତି, ୧୨ ହଜାର ଲୋକଙ୍କ ଜୀବନ ଯାଇଥିଲା।

କ’ଣ ଏହି ଗ୍ରେଟ ସ୍ମଗ ଅଫ ଲଣ୍ଡନ?

୧୯୫୨ ମସିହାର ଇଂଲଣ୍ଡର ସ୍ଥିତି ଥିଲା ଭିନ୍ନ। ସେ ସମୟରେ ପ୍ରାୟତଃ ଲୋକେ କୋଇଲା ଜାଳୁଥିଲେ। କୋଇଲା ଜାଳି ଘରେ ଏବଂ କଳ କାରଖାନାଗୁଡ଼ିକରେ କୋଇଲା ଜଳାଯାଉଥିଲା। ଲଣ୍ଡନ ସହରର ଚାରିପଟ ଧୁଆଁମୟ ରହୁଥିଲା। ଏପରି ସ୍ଥିତି ଦୀର୍ଘଦିନ ଯାଏ ଲାଗି ରହିଥିଲା। ହେଲେ ୧୯୫୨ ଡିସେମ୍ବରରେ ଥଣ୍ଡା ବଢିବା ଏବଂ ତାପମାତ୍ରା କମିବା ଦ୍ୱାରା ଏହି ସହର ଚାରିପାଖେ ଏପରି ଧୁଆଁ ଆସ୍ତରଣ ଖେଳିଗଲା।

ବାୟୁ ଏତେ ବିଷାକ୍ତ ହୋଇପଡିଲା ଯେ, ହଜାର ହଜାର ଚିମିନ, ପ୍ଲାଣ୍ଟ, ନୂଆ ଡିଜେଲ ବସରୁ ନିର୍ଗତ ଧୁଆଁ ଏଥିରେ ମିଶିବା ଦ୍ୱାରା ସ୍ଥିତି ସଙ୍ଗୀନ ହୋଇପଡିଲା। ଏହି ଧୁଆଁ ୫ ଦିନ ଧରି ସହରକୁ ଗ୍ୟାସ ଚାମ୍ବରରେ ପରିଣତ କରିଥିଲା। ଲଣ୍ଡନ ସହରର ଭିଜିବିଲିଟି ଶୂନ୍ୟ ହୋଇଯାଇଥିଲା ଠିକ୍ ଆଜିର ଦିଲ୍ଲୀ ଏବଂ ଏନସିଆର ପରି।

ଶେଷରେ ପରିସ୍ଥିତି ଏପରି ହେଲା ଯେ, ଧୁଆଁ ଘର ଭିତରେ ପଶିଲା। ଡିସେମ୍ବର ୫ ତାରିଖରୁ ୯ ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିଲା। ୯ ତାରିଖରେ ଏହି ଧୁଆଁ ହଟିବା ବେଳକୁ ଶହଶହ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇସାରିଥିଲେ। ଅଧିକାଂଶ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ପ୍ରଦୂଷଣ ଯୋଗୁଁ ୧୨ ହଜାର ଲୋକଙ୍କ ଜୀବନ ଯାଇଥିଲା। 

Tags: #AirPollution #London #GreatSmog #Delhi

LEAVE A REPLY

Please enter your comment!
Please enter your name here