ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୨୪ ଶୀତକାଳୀନ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୩୮ଟି ବନଖଣ୍ଡରେ ଅଛନ୍ତି ୨,୧୦୩ ହାତୀ। ଚଳିତବର୍ଷ ରାଜ୍ୟରେ ବଢ଼ିଛନ୍ତି ମାତ୍ର ୫ ହାତୀ। ରାଜ୍ୟର ୧୩ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାନ୍ତି।

ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ହାତୀଙ୍କ ମଧ୍ୟରେ ୩୩୪ଟି ବଡ଼ ଦନ୍ତା ହାତୀ, ୧୨ଟି ବଡ଼ ମାଖନା ହାତୀ, ୬୭୮ଟି ମାଇ ହାତୀ ଓ ୪୦୩ଟି ହାତୀ ଛୁଆ ଅଛନ୍ତି। ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୨୯୧ଟି ହାତୀ ଅଛନ୍ତି। ସେହିପରି କେନ୍ଦୁଝର ଡିଭିଜନରେ ୧୬୦ଟି, ଆଠଗଡ଼ ଡିଭିଜନରେ ୧୨୪ଟି, ଦେବଗଡ଼ ଡିଭିଜନରେ ୧୨୩ଟି ଓ ଅନୁଗୁଳ ଡିଭିଜନରେ ୧୧୭ଟି ହାତୀ ଅଛନ୍ତି।

ନଭେମ୍ବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ହାତୀ ଗଣନା କରାଯାଇଥିଲା। ରାଜ୍ୟର ୪୮ଟି ବନଖଣ୍ଡରେ ହାତୀ ଗଣନାରେ ସାମିଲ ହୋଇଥିଲେ ବନ ବିଭାଗର ବିଶେଷଜ୍ଞ ଦଳ। ଚଳିତ ବର୍ଷ ପ୍ରଥମଥର ପାଇଁ ଡ୍ରୋନ ମାଧ୍ୟମରେ ହାତୀ ଗଣନା କରାଯାଇଥିଲା।

ଶୀତ ଋତୁରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରୁ କେତେ ହାତୀ ଓଡ଼ିଶାକୁ ଆସୁଛନ୍ତି ତା’ର ସଂଖ୍ୟା ଏବଂ ଓଡ଼ିଶାର ନିଜସ୍ଵ ହାତୀ ସଂଖ୍ୟା କେତେ ସେ ସମ୍ବନ୍ଧରେ ଜାଣିବା ପାଇଁ ବନ ବିଭାଗ ପ୍ରଥମଥର ନିମନ୍ତେ ଶୀତଋତୁରେ ହାତୀ ଗଣନା କରିଛି। ଏହି ଗଣନା ସମୟରେ ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ହାତୀ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା।

ଏହି ହାତୀ ଗଣନା ରିପୋର୍ଟ ଅନୁସାରେ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ରାଉରକେଲା, କଳାହାଣ୍ଡି ଉତ୍ତର, ଆଠମଲିକ ଓ ରେଢ଼ାଖୋଲ ବନଖଣ୍ଡ ଡିଭିଜନରେ ହାତୀଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପଟେ ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଓ ରାୟଗଡ଼ା ବନଖଣ୍ଡ ଡିଭିଜନରେ ହାତୀଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି।    

ଏହାପୂର୍ବରୁ ୨୦୨୪ ମେ’ ମାସରେ ରାଜ୍ୟରେ ହାତୀ ଗଣନା କରାଯାଇଥିଲା। ସେତେବେଳେ ରାଜ୍ୟରେ ୨୦୯୮ଟି ହାତୀ ଥିବା ଜଣା ପଡ଼ିଥିଲା। ତେବେ ସେ ସମୟରୁ ଶୀତକାଳୀନ ହାତୀ ଗଣନା ମଧ୍ୟରେ ରାଜ୍ୟରେ ୪୮ଟି ହାତୀଙ୍କ ମୃତ୍ୟୁ ହୋଇଛି।  

Tags: #ElephantCensus #Elephants #Wildlife #Forests #Odisha

LEAVE A REPLY

Please enter your comment!
Please enter your name here