ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣି ଆଳୁ ରପ୍ତାନି ବନ୍ଦ କଲା ପଶ୍ଚିମବଙ୍ଗ। ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକା ଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଆଳୁ ରପ୍ତାନି ବନ୍ଦ ହୋଇଥିବା ସୂଚନା ମିଳିଛି। ଏହା ପ୍ରଭାବରେ ଓଡ଼ିଶାରେ ପୁଣି ଆଳୁ ଦର ବଢ଼ିବାର ସମ୍ଭାବନା ରହିଛି।
ବୁଧବାର ମଧ୍ୟରାତ୍ରିରୁ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ଠାରୁ ପ୍ରାୟ ୨୫ କିଲୋମିଟର ଦୂର ପଶ୍ଚିମବଙ୍ଗର ବେଲଦାରେ ଓଡ଼ିଶା ଆସୁଥିବା ଶହ ଶହ ଆଳୁ ଟ୍ରକ ଅଟକି ରହିଛି। ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ଯାଞ୍ଚ କରି ଆଳୁ ଟ୍ରକଗୁଡ଼ିକୁ ଅଟକା ଯାଉଛି।
ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ରୁ ୪୦ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି ସରକାର। ଆନ୍ତଃରାଜ୍ୟ ସୀମା ଦେଇ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଆଳୁ ପିଆଜ ଦର ବୃଦ୍ଧି ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଥିଲେ। ଏଥିରେ ପଶ୍ଚିମବଙ୍ଗରୁ ଆଳୁ ରପ୍ତାନି ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ତେବେ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହେବାପରେ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଶୀତଳଭଣ୍ଡାରରୁ ଆଳୁ ଷ୍ଟକ୍ ସରି ଆସୁଥିବାରୁ ରାଜ୍ୟରେ ଆଳୁ ଦର ବଢ଼ିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର ଏହାକୁ ଗୁରୁତର ସହ ନେବାକୁ ମହାସଙ୍ଘ ଦାବି କରିଛି।
Tags: #Potato #ExportBan #WestBengal #Odisha