ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ‘ସୋଆ ୱିମେନ୍ ୱାର୍କଫୋର୍ସ’କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

କୋଲକାତାଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍ଆଇଆରଏଫ୍) ୨୦୨୪ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଥିବା ସୋଆରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୫୪ ପ୍ରତିଶତ ଛାତ୍ରୀ ରହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୪୨ ପ୍ରତିଶତ ମହିଳା ରହିଛନ୍ତି।

ବିଶ୍ୱବିଦ୍ୟାଳୟରେ ପ୍ରାୟ ୪୫ ଜଣ ମହିଳା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ବିଶ୍ୱବିଦ୍ୟାଳୟର ପ୍ରାୟ ୨୫ଟି ବିଭାଗରେ ମହିଳାମାନେ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱରେ ଅଛନ୍ତି।

Tags: #FeminaAchieversEastAward2024 #SOA #SoaWomenWorkforce #Odisha #Education

Comment