ମିନତି ମିଶ୍ର
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ରହି ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବୈଠକ ଶେଷରେ ଦଳୀୟ କର୍ମୀ ଓ ନେତାଙ୍କ ସହ ରାତ୍ର ଭୋଜନ ବି କରିଥିଲେ ପ୍ରଧାନମନ୍ତ୍ରୀ।
ଶୁକ୍ରବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରାଧାନମନ୍ତ୍ରୀ। ଏହାପରେ ଏକ ଦଳୀୟ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ବିଜେପିର ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ ବୁଲି ବୁଲି ସମସ୍ତଙ୍କ ସହ କଥା ହେଉଥିଲେ ପ୍ରଧାନମନ୍ତ୍ରୀ। ନେତାଙ୍କ ଘର ପରିବାର ବିଷୟରେ ପଚାରି ବୁଝିଥିଲେ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ଓ ପରିବାରକୁ ସମୟ ଦେବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।
ଜନ ପ୍ରତିନିଧିଙ୍କୁ ବୁଝାଇଲେ
ଝିଅ ଓ ବୋହୂଙ୍କ ସଂଜ୍ଞା ଦେଇ ଜନପ୍ରତିନିଧିଙ୍କୁ ସେମାନଙ୍କ କାମ ବିଷୟରେ ପରୋକ୍ଷରେ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, “ଝିଅଟିଏ ଥିଲେ ତାହା ଉପରେ କାହାରି ଧ୍ୟାନ ନ ଥାଏ। ହେଲେ ସେ ଯେତେବେଳେ ବୋହୂ ହୋଇ ଶାଶୂଘରକୁ ଯାଏ ତା’ ଉପରେ ପରିବାରର ସମସ୍ତଙ୍କ ନଜର ଥାଏ। ଠିକ୍ ସେମିତି ଆପଣମାନେ କାଲି ଦଳର ନେତା ତଥା କର୍ମୀ ଥିଲେ। ଆଜି ଆପଣମାନେ ଜନପ୍ରତିନିଧି। ଆପଣମାନେ କ’ଣ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର। ତେଣୁ ଲୋକଙ୍କ ନିକଟତର ହେବା ପାଇଁ ନିରନ୍ତର ଭଲ କାମ କରିବାକୁ ଲକ୍ଷ୍ୟ ରଖନ୍ତୁ।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, “ଦଳୀୟ କାର୍ଯ୍ୟାଳୟକୁ ରାଜନୈତିକ କାର୍ଯ୍ୟରେ ସୀମିତ କରନି। ଦଳୀୟ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଉନ୍ମୁକ୍ତ କର। ଲୋକଙ୍କ ପାଖକୁ ଯାଅ। ସେମାନଙ୍କ ସମସ୍ୟା ବୁଝ। ସପ୍ତାହକୁ ଥରେ ସଫେଇ ଅଭିଯାନ କର। ଲୋକଙ୍କ ସହ ମିଶିବାକୁ ଚେଷ୍ଟା କର।”
ବୈଠକରେ କଂଗ୍ରେସର କାର୍ଯ୍ୟଶୈଳୀକୁ କଡ଼ା ସମାଲୋଚନା କରିଥିଲେ ନରେନ୍ଦ୍ର ମୋଦୀ। କଂଗ୍ରେସ ଢାଞ୍ଚାରେ ନ ପଡ଼ିବାକୁ ସେ ରାଜ୍ୟ ବିଜେପିର ନେତା ଓ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ।
ଆଲୋଚନାବେଳେ ଓଡ଼ିଶାର ବିକାଶ ଉପରେ ଗୁରୁତ୍ଵ ଦେଇଥିଲେ ପ୍ରଧାନମନ୍ତ୍ରୀ। ୨୦୩୬ ମସିହାକୁ ଆଖି ଆଗରେ ରଖି ରାଜ୍ୟର ବିକାଶ ପାଇଁ ରୋଡମ୍ୟାପ ତିଆରି କରିବାକୁ ସେ ପରାମର୍ଶ ଦେଇଛନ୍ତି।
Tags: #NarendraModi #PMOIndia #OdishaVisit #DGPConference #Bhubaneswar