ପୁଷ୍ପମିତ୍ର ମହାନ୍ତି

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ଏନେଇ ନିକଟରେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ କମିଟିର (ସିଡବ୍ଲ୍ୟୁସି) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାର ଅଧ୍ୟକ୍ଷତା କରିଥିଲେ। ଦଳ ଭିତରେ ଶୃଙ୍ଖଳାହୀନତାକୁ ନେଇ ସେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦଳୀୟ ସୀମା ବାହାରେ ବୟାନ ଦେଇଥିବାରୁ ନେତାମାନଙ୍କୁ ସମାଲୋଚନା କରିବା ସହ ଆଭ୍ୟନ୍ତରୀଣ କନ୍ଦଳ ଓ ସାଂଗଠନିକ ତ୍ରୁଟି ଦୂର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦଳୀୟ ଏକତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଆମେ ଏକଜୁଟ ହୋଇ ନିର୍ବାଚନ ନଲଢ଼ିଲେ ଏବଂ ପରସ୍ପର ବିରୋଧରେ ବୟାନ ଦେବା ବନ୍ଦ ନ କଲେ ଆମେ ବିରୋଧୀଙ୍କୁ ପରାସ୍ତ କରିପାରିବାନାହିଁ।”

ନିକଟରେ ହରିୟାଣା ଓ ମହାରାଷ୍ଟ୍ରରେ କଂଗ୍ରେସର ପରାଜୟର ବିଶ୍ଳେଷଣ ପାଇଁ ଡକାଯାଇଥିବା ଏହି ବୈଠକରେ ଦଳର ନିର୍ବାଚନୀ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟ ବିଧାନସଭା ନିର୍ବାଚନ କେବଳ ଜାତୀୟ ପ୍ରସଙ୍ଗରେ ଲଢ଼ିବା ଆବଶ୍ୟକ ନୁହେଁ ବୋଲି ଖଡ଼ଗେ ଗୁରୁତ୍ୱାରୋପ କରିଛନ୍ତି। ଏକତା ଓ ଶୃଙ୍ଖଳାକୁ ପ୍ରାଥମିକତା ଦେବା ପାଇଁ ନେତାମାନଙ୍କୁ ଅନୁରୋଧ କରି ସେ ସ୍ଥାନୀୟ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ।

ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେ ଇଭିଏମକୁ ନେଇ ସନ୍ଦେହ ପ୍ରକାଶ କରି ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଚାର ଏବଂ ଭୁଲ ସୂଚନାର ମୁକାବିଲା କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

କଂଗ୍ରେସ ମୁଖ୍ୟ ନିର୍ବାଚନୀ ଲଢ଼େଇର ପରିବର୍ତ୍ତିତ ପ୍ରକୃତି ଉପରେ ଆଲୋକପାତ କରି ଦଳର ଆଭିମୁଖ୍ୟ ବିକଶିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ଖଡ଼ଗେ। ସେ କହିଛନ୍ତି, “ନିର୍ବାଚନ ଲଢ଼ିବାର ପଦ୍ଧତି ବଦଳିଯାଇଛି। ତେଣୁ ତୃଣମୂଳ ସ୍ତରରେ ଯୋଗାଯୋଗ ଏବଂ ଠିକ୍ ସମୟରେ ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ।”

ବୈଠକରେ ଅନେକ ରାଜ୍ୟରେ ସାଂଗଠନିକ ଦୁର୍ବଳତାକୁ ଦୃଷ୍ଟିରେ ରଖି ଦଳରେ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଖଡ଼ଗେ। ଭବିଷ୍ୟତରେ ନିର୍ବାଚନ ପାଇଁ ଦୃଢ଼ ପ୍ରସ୍ତୁତି, ଭୋଟର ତାଲିକା ଯାଞ୍ଚ ଓ ବୁଥ୍ ସ୍ତରରେ ଦଳୀୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଖଡ଼ଗେ ଉଲ୍ଲେଖ କରିଛନ୍ତି ଯେ ଜନଭାବନା କଂଗ୍ରେସକୁ ସମର୍ଥନ କରୁଥିବା ବେଳେ ଏହା ବିଜୟରେ ପରିଣତ ହେବାରେ ବିଫଳ ହୋଇଛି।

ହରିୟାଣା ଓ ମହାରାଷ୍ଟ୍ରରେ ପରାଜୟ ସତ୍ତ୍ୱେ ଝାଡ଼ଖଣ୍ଡରେ ଜେଏମଏମ ସହ କଂଗ୍ରେସର ମେଣ୍ଟ ବିଜୟ ହାସଲ କରିଛି। ତେଣୁ ନିରାଶ ନ ହେବା ପାଇଁ ଦଳୀୟ କର୍ମୀଙ୍କୁ ଅନୁରୋଧ କରି ଖଡ଼ଗେ କହିଛନ୍ତି, “ବିଜୟ ଆମର ମିଳିତ ସଫଳତା ଏବଂ ପରାଜୟ ଆମର ମିଳିତ ଦାୟିତ୍ୱ। ଦଳର ଶକ୍ତିକୁ ପୁନଃ ଜାଗରଣ କରିବା ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ପାଇଁ ସାମଗ୍ରିକ ଦଳୀୟ ଉତ୍ତରଦାୟିତ୍ୱ, ଶୃଙ୍ଖଳା ଏବଂ ରଣନୀତିର ଆବଶ୍ୟକତା ରହିଛି।”

ଏହି ବୈଠକରେ ବରିଷ୍ଠ ନେତାମାନେ ଶୀର୍ଷ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପଲବ୍ଧତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଦଳୀୟ କର୍ମୀଙ୍କ ମନୋବଳ ଓ ଦଳ ମଧ୍ୟରେ ସମନ୍ୱୟ ବଢ଼ାଇବା ପାଇଁ ଗାନ୍ଧୀ ପରିବାର ଓ ଦଳୀୟ କର୍ମୀଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ଆରମ୍ଭ କରିବାକୁ ବରିଷ୍ଠ ନେତା ମୋହନ ପ୍ରକାଶ ବୈଠକରେ ପରାମର୍ଶ ଦେଇଥିଲେ।

Tags: #Congress #CWC #MallikarjunaKharge #Politics #Elections #India

LEAVE A REPLY

Please enter your comment!
Please enter your name here