ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରୁରତାହୀନ ତଥା ରାସାୟନିକ ରଙ୍ଗମୁକ୍ତ ଓଡ଼ିଶାର କରୁଣା ସିଲ୍କଭାରତୀୟ ବୟନ ଶିଳ୍ପ କ୍ଷେତ୍ରରେ ଏକ ନୂଆ ପ୍ରୟୋଗ

ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ‘କରୁଣା ସିଲ୍କ’ର କପଡ଼ା ପ୍ରସ୍ତୁତ କରାଯାଉଛି। ଏହି କପଡ଼ାରୁ ତିଆରି ଆଧୁନିକ ପୋଷାକ ପ୍ରତି ଗ୍ରାହକଙ୍କ ଆଦର ବଢ଼ୁଛି।

‘କରୁଣା ସିଲ୍କ’ରୁ ପ୍ରସ୍ତୁତ ହେଉଛି ବିଭିନ୍ନ ପାରମ୍ପରିକ ଓ ଆଧୁନିକ ପୋଷାକ। ଏଥିରୁ ପ୍ରସ୍ତୁତ ଶାଢ଼ି, କପଡ଼ା ଏବଂ ରେଡିମେଡ୍ ଜ୍ୟାକେଟ୍ ପ୍ରତି ଗ୍ରାହକଙ୍କର ଆଗ୍ରହ ବଢ଼ୁଛି।

ଓଡ଼ିଶାରେ ୪ ପ୍ରକାର ରେଶମ କୀଟର ଚାଷ କରାଯାଉଛି। ସେଗୁଡ଼ିକ ହେଲା ଏରି, ମଲବେରୀ, ଟସର ଏବଂ ମୁଗା। ରାଜ୍ୟରେ ପ୍ରଥମେ ଏରି ବା ଏଣ୍ଡିପୋକ ସୂତାରୁ ‘କରୁଣା ସିଲ୍କ’ ପ୍ରସ୍ତୁତ କରାଯାଉଥିଲା। ଏବେ ସମସ୍ତ ୪ ପ୍ରକାର ରେଶମ ଖୋସାରୁ ଏହି ସିଲ୍କ ପ୍ରସ୍ତୁତ କରାଯାଉଛି। ସାଧାରଣତଃ ରେଶମ ପୋକର ଖୋସାକୁ ପ୍ରଥମେ ଗରମ ପାଣିରେ ସିଝାଇ ସେଥିରୁ ସୂତା ବାହାର କରାଯାଏ। ସେହି ସୂତାରୁ ରେଶମ ପୋଷାକ ତିଆରି ହୁଏ‌। ଗରମ ପାଣିରେ ସିଝାଇବା ବେଳେ ଖୋସାରେ ଥିବା ପୋକର ମୃତ୍ୟୁ ହୁଏ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଗୋଟିଏ ମଲବେରୀ ସିଲ୍କ ଶାଢ଼ି ପ୍ରସ୍ତୁତି ପାଇଁ ୧୦ରୁ ୨୦ ହଜାର ଖୋସା ଦରକାର ପଡ଼ିଥାଏ। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପର୍ଯ୍ୟନ୍ତ ଖୋସା ଦରକାର ପଡ଼େ। ଅର୍ଥାତ୍ ଏଥିରେ ସେତିକି ସଂଖ୍ୟାରେ ରେଶମ କୀଟଙ୍କ ଜୀବନ ଯାଇଥାଏ।

କିନ୍ତୁ ‘କରୁଣା ସିଲ୍କ’ ପାଇଁ ରେଶମ କୀଟର ଜୀବନ ଯାଉନାହିଁ। ଏଥିପାଇଁ ଓଡ଼ିଶା କ୍ରୁରତାହୀନ ନୀତିକୁ ଆଦରିନେଇଛି। ନୂତନ ପଦ୍ଧତି ଅନୁଯାୟୀ ପୋକକୁ ନ ମାରି ଏହା ଖୋସାକୁ ଫଟାଇ ପ୍ରଜାପତି ରୂପରେ ଉଡ଼ିଯିବା ପାଇଁ ଛାଡ଼ି ଦିଆଯାଏ। ପରେ ସେହି ଖୋସାକୁ ଆଣି ସେଥିରୁ ସୂତା ବାହାର କରାଯାଏ।

ଗତ କିଛି ବର୍ଷ ଧରି ‘କରୁଣା ସିଲ୍କ’ ପଦ୍ଧତିରେ ବାହାରୁଥିବା ସୂତାରୁ ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ପ୍ରସ୍ତୁତ କରାଯାଉଛି। ଖୋର୍ଦ୍ଧା ନିକଟରେ ଥିବା ରାଉତପଡ଼ା ଅଞ୍ଚଳର ବୁଣାକାରମାନେ ଏହି ସୂତାରେ ଆବଶ୍ୟକ ରଙ୍ଗ ଦେଇ ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ଖଣ୍ଡୁଆ ପାଟ ବୁଣିଥାଆନ୍ତି। ଏହି ପାଟରେ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପଂକ୍ତି ବୁଣାଯାଇଥାଏ।

‘କରୁଣା ସିଲ୍କ’ର ନୂଆ ଧାରା ହିସାବରେ ଏବେ ଖୋସାରୁ ବାହାରୁଥିବା ସୂତାରେ କୌଣସି ପ୍ରକାର ରାସାୟନିକ ରଙ୍ଗ ନ ମିଶାଇ ତାକୁ ପ୍ରାକୃତିକ ଭାବେ ବ୍ୟବହାର କରାଯାଉଛି।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ୨୨ଟି ଜିଲ୍ଲାରେ ବିଭିନ୍ନ ପ୍ରକାର ରେଶମ ଚାଷ କରାଯାଉଛି। ସେହିପରି ଖୋର୍ଦ୍ଧାର ରାଉତପଡ଼ା, କଟକର ନୂଆପାଟଣା ଏବଂ ଯାଜପୁରର ଗୋପାଳପୁର ଅଞ୍ଚଳର ବୁଣାକାରମାନେ ପାରମ୍ପରିକ ଓ ଆଧୁନିକ ରେଶମ ଶାଢ଼ି, କପଡ଼ା ଏବଂ ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଛନ୍ତି।

‘କରୁଣା ସିଲ୍କ’ର କ୍ରୁରତାହୀନ ଏବଂ ରଙ୍ଗହୀନ କିସମ ଓଡ଼ିଶାର ଏକ ଅଭିନବ ପ୍ରୟାସ। ଏହା ଭାରତୀୟ ବୟନ ଶିଳ୍ପ ଦୁନିଆରେ ରେଶମ ଉତ୍ପାଦନକୁ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ କରିବା ସହ ଓଡ଼ିଶାର ରେଶମ ଚାଷୀ ଏବଂ ଏହି ଶିଳ୍ପ ସହ ଯୋଡ଼ି ହୋଇଥିବା ଲୋକଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହେବ।

Tags: #CultureandTraditionofOdisha #KarunaSilk #Crueltyandchemicalfree

LEAVE A REPLY

Please enter your comment!
Please enter your name here