ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ଖଣ୍ଡୁଆ ପାଟ
  • ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
  • ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି କରୁଣା ସିଲ୍କ
  • ୫-ଟି ଅଭିଯାନ ଅଧୀନରେ ୨୦୨୨ରୁ ଚାଲିଛି ପାଇଲଟ୍ ପ୍ରକଳ୍ପ
  • ୧୪ଟି ଜିଲ୍ଲାର ୨୫୦୦ ଚାଷୀ କରୁଛନ୍ତି କରୁଣା ସିଲ୍କପାଇଁ ଚାଷ

(ଭୁବନେଶ୍ୱର): ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି।

ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ। କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ।

‘‘ଏ ବର୍ଷ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ବେଶ୍ ଆକର୍ଷଣୀୟ କରାଯାଇଛି। ତେବେ ପାଭିଲିୟନର ସ୍ୱତନ୍ତ୍ର ଆକର୍ଷଣ ହୋଇଛି କରୁଣା ସିଲ୍କ। ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍ ଖୁସି ହେଉଛନ୍ତି’’, କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ।

ବିଭାଗ ପକ୍ଷରୁ ପ୍ରଗତି ମଇଦାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି, ଯେଉଁଠି ରାଜ୍ୟ ସରକାରଙ୍କର ୭ଟି ବିଭାଗର ୨୪ଟି ଷ୍ଟଲ ଖୋଲାଯାଇଛି।

‘‘ଆଜିର ଦିନରେ ସିଲ୍କ ଉତ୍ପାଦନ ବେଳେ ରେଶମ ପୋକକୁ ନମାରି ତାକୁ ପ୍ରଜାପତି କରି ଖୋସାରୁ ଉଡ଼ାଇ ଦିଆଯାଉଛି। ଏଭଳି ଅହିଂସା ଉପାୟରେ ଓଡ଼ିଶାରୁ ସିଲ୍କ ଉତ୍ପାଦନ ହେଉଛି ଜାଣି ଖୁସି ଲାଗିଲା। ପୁଣି ସେହି ସିଲ୍କରୁ ଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ପ୍ରସ୍ତୁତ ହେଉଛି। ଓଡ଼ିଶା ପାଭିଲିୟନରେ କରୁଣା ସିଲ୍କର ଲାଇଭ୍ ବୁଣା ଦେଖି ମତେ ଗୋଟେ ନୂଆ ଅନୁଭୂତି ମିଳିଲା’’, ନିଜର ଖୁସି ବର୍ଣ୍ଣନା କରି କହିଛନ୍ତି ନୂଆଦିଲ୍ଲୀର ବାସିନ୍ଦା ରିନା ସିଂ।

‘‘ମୁଖ୍ୟମନ୍ତ୍ରୀଙ୍କ ଭାବନା ହେଉଛି ଯେ କୌଣସି ଉତ୍ପାଦନ ଲାଗି ବ୍ୟବହାର ପଦ୍ଧତି ଅହିଂସା ମାର୍ଗରେ ହେବା ଦରକାର। ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନମାରି ନୂତନ ଓରଷ୍ଟେଡ୍ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ। ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି। ପ୍ରଜାପତି ଉଡ଼ିଗଲା ବେଳେ ଖୋସାଟି ଫାଟି ଯାଉଥିବାରୁ ସ୍ପିନିଙ୍ଗ ମିଲ୍ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି’’, ସୂଚନା ଦେଇ କହିଛନ୍ତି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଭାରତରେ ୪ ପ୍ରକାର ରେଶମ କୀଟ ଚାଷ କରାଯାଉଛି। ତା’ଭିତରେ ରହିଛି ମଲବେରୀ, ଟସର, ଏରି ବା ଏଣ୍ଡି ଏବଂ ମୁଗା। ମୁଗାକୁ ବାଦ୍‌ ଦେଇ ଓଡ଼ିଶାରେ ଅନ୍ୟ ୩ଟି ରେଶମ ଚାଷ ହେଉଛି।

ଓଡ଼ିଶା ସରକାରଙ୍କ ‘୫-ଟି’ ଅଭିଯାନ ଅଧୀନରେ ୨୦୨୨ ମସିହାରୁ ପାଇଲଟ୍ ପ୍ରକଳ୍ପ ଭାବେ ‘କରୁଣା ସିଲ୍କ’ର ଉତ୍ପାଦନ ଆରମ୍ଭ କରାଯାଇଛି। ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା। ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲ୍ଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ା ଯାଇଛି। ଏଥର ୨୦୦ କୁଇଣ୍ଟାଲରୁ ଅଧିକ ‘କରୁଣା ସିଲ୍କ’ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି।

‘‘ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ରେଶମ ପୋକ ମରିଥାନ୍ତି। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପୋକ ମରନ୍ତି। ସାରା ପୃଥିବୀରେ ଏ ଯେଉଁ ପାରମ୍ପରିକ ଓ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ହେଉଛି ତାକୁ ଭାଙ୍ଗି ଓଡ଼ିଶା ଅହିଂସା ବା କରୁଣା ଉପାୟରେ ପ୍ରସ୍ତୁତ କରୁଛି ‘କରୁଣା ସିଲ୍କ’। ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ’’, ଅଧିକ ସୂଚନା ଦେଇ କହନ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଆଗରୁ ଶ୍ରୀମନ୍ଦିର ପାଇଁ ଯେଉଁ ଖଣ୍ଡୁଆ ପାଟ ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ସେଥିପାଇଁ ବାହାର ରାଜ୍ୟରୁ ସୂତା ଆସୁଥିଲା। ଏହି ସୂତା ରେଶମ କୀଟକୁ ମାରି ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଜୀଉଙ୍କ ଅଙ୍ଗଲାଗି ହେଉଛି କରୁଣା ସିଲ୍କ, ଯାହାକି ସମ୍ପୂର୍ଣ୍ଣ ଅହିଂସା ଉପାୟରେ ପ୍ରସ୍ତୁତ।

ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣା ଯାଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁଲଳିତ ପଂକ୍ତି। ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି ‘କରୁଣା ସିଲ୍କ’ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି। ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି।

‘‘ଅହିଂସା ମାର୍ଗରେ ପ୍ରସ୍ତୁତ ରେଶମ ସୂତାକୁ ନେଇ ଆମେ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦେଉଛୁ ପବିତ୍ର ଖଣ୍ଡୁଆ ପାଟ। ଏଠି ଦିଲ୍ଲୀର ବାଣିଜ୍ୟ ମେଳାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗରେ ସେହି କାମ ଦେଖାଇପାରୁଥିବାରୁ ଆମକୁ ବହୁତ ଖୁସି ଲାଗୁଛି’’, କହିଛନ୍ତି ଖୋର୍ଦ୍ଧା ରାଉତପଡ଼ାର କାରିଗର ଅଶୋକ କୁମାର ଦାସ।

ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା ଆଉ ଜଣେ କାରିଗର ଗୋପୀନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି। ସେ କହନ୍ତି, ‘‘ମହାପ୍ରଭୁ ଜଗନ୍ନାଥ ତ କହି ନାହାନ୍ତି ଜୀବକୁ ହତ୍ୟାକରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା। ତେଣୁ ପୋକକୁ ନମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ। ରାଜ୍ୟ ସରକାରଙ୍କ ନିଜସ୍ୱ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି।

‘କରୁଣା ସିଲ୍କ’ରୁ ପ୍ରସ୍ତୁତ ଆକର୍ଷଣୀୟ ଜ୍ୟାକେଟ୍ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନର ବୟନିକା ଷ୍ଟଲରେ ବିକ୍ରି ହେଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତିଆରି ପାଇଁ ଯୋଜନା ରହିଛି।

ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ ‘କରୁଣା ସିଲ୍କ’ ଭାରତୀୟ ମହାନ ଅହିଂସା ଦର୍ଶନର କଥା କହୁଛି। ଏହା ଭାରତୀୟ ବୟନଶିଳ୍ପ ମାନଚିତ୍ରରେ ରାଜ୍ୟ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି।

Tags: #IndiaInternationalTradeFair 2023 #Odishapavilion #CultureandTraditionofOdisha #NewDelhi #KarunaSilk

LEAVE A REPLY

Please enter your comment!
Please enter your name here