ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟର ପାଭିଲିୟନ ମଧ୍ୟରେ ଝଲସୁଛି ଓଡ଼ିଶା ପାଭିଲିୟନ। ଏହାର ପରିସରରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଯୋଗୀ ସଂସ୍ଥା ଓରମାସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ଉତ୍ପାଦକ ଗୋଷ୍ଠୀମାନେ ଏଠାରେ ସେମାନଙ୍କ ହାତ ତିଆରି ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରିବଟା କରୁଛନ୍ତି।

ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓଡ଼ିଶାର ଗ୍ରାମୀଣ ହସ୍ତଶିଳ୍ପୀ, ବୟନଶିଳ୍ପୀ ଏବଂ ଏସଏଚଜି ମା’ମାନଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଏହି ମେଳାରେ ସେମାନଙ୍କ ହାତ ତିଆରି ସାମଗ୍ରୀର ଭଲ ଚାହିଦା ରହିଛି। ଏଭଳି ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନୂଆପଡ଼ା ଜିଲ୍ଲାର ମା’ ବୈଭବଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବାଣିଜ୍ୟ ମେଳାରେ ସାମିଲ ହୋଇଛନ୍ତି। ସେମାନଙ୍କ ଦ୍ୱାରା କାଠରୁ ପ୍ରସ୍ତୁତ କଳାକୃତି – ଟିସ୍ୟୁ ହୋଲ୍ଡର, ଅଳଙ୍କାର, କୋଷ୍ଟର, ଆଦି ଲୋକଙ୍କ ମନକୁ ଛୁଉଁଛି। ସେହିପରି ମୟୂରଭଞ୍ଜରୁ ଆସିଥିବା ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସବାଇଘାସରୁ ବିଭିନ୍ନ ଘର ଉପକରଣ, ସାଜସଜ୍ଜା ସାମଗ୍ରୀ ଲୋକଙ୍କୁ ଆକର୍ଷିତ କରୁଛି।

ସେହିପରି ଓରମାସର ଆଉ ଏକ ଷ୍ଟଲରେ ଦେଖିବାକୁ ମିଳିଛି ଓଡ଼ିଶାର କୋଟପାଡ଼ ଏବଂ ଟସର ସିଳ୍କ ଶାଢ଼ି। ଅନ୍ୟ ଏକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ମକ୍କା ମିଶନ ଅଧୀନରେ ନବରଙ୍ଗପୁର ଜିଲ୍ଲାର ନବରଙ୍ଗୀ କୃଷି ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କୃଷି ଯନ୍ତ୍ରପାତିର ମଧ୍ୟ ପ୍ରଦର୍ଶନ କରାଯାଉଛି।

ଗଞ୍ଜାମର ପ୍ରସିଦ୍ଧ ବଡ଼ି, ପାମ୍ପଡ଼, ମିକ୍ସଚର ଆଦି କିଣିବାକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ଏହାକୁ ଗଞ୍ଜାମର ଅନନ୍ତ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସେହିପରି ବାଲେଶ୍ୱରରୁ ଆସିଥିବା ବାବା ପଞ୍ଚଲିଙ୍ଗେଶ୍ୱର ଟେରାକୋଟା ଉତ୍ପାଦ ଗୋଷ୍ଠୀର ଭଳିକି ଭଳି ଟେରାକୋଟା ସାମଗ୍ରୀ ଏବଂ କୋରାପୁଟର ଲେମନ ଗ୍ରାସ୍ ଉତ୍ପାଦ କିଣିବାକୁ ଓରମାସ୍ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଜମୁଛି।

୨୦ ତାରିଖ ସୁଦ୍ଧା ଓରମାସ୍ ଷ୍ଟଲରେ ୧୦ ଲକ୍ଷ ୫୩ ହଜାର ୯୬୦ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

Tags: #IndiaInternationalTradeFair 2023 #Odishapavilion #CultureandTraditionofOdisha #NewDelhi #KarunaSilk

Comment