ମିନତି ମିଶ୍ର
ଭୁବନେଶ୍ଵରରେ ତିନି ଦିନ ଧରି ଚାଲିଥିବା ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ରବିବାର ଉଦଯାପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଯାପନୀ ଦିବସରେ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଶା କାରବାର ଏବଂ ବାଂଲାଦେଶ ଓ ମିଆଁମାରରୁ ହେଉଥିବା ବେଆଇନ ଅନୁପ୍ରବେଶ ରୋକିବା ଦିଗରେ ଗୁରୁତ୍ଵ ଦେବାକୁ କହିଥିଲେ। ଏଥି ସହିତ ସୀମା ସୁରକ୍ଷା, ମାଓବାଦୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପରାର୍ମଶ ଦେଇଥିଲେ।
“ଜଣେ ପୋଲିସ ଭାବେ ଅଧିକ ଯତ୍ନଶୀଳ ହୁଅ। ନିର୍ଭରଯୋଗ୍ୟ ଆଉ ସ୍ୱଚ୍ଛ କାର୍ଯ୍ୟପନ୍ଥା ମାଧ୍ୟମରେ ଲୋକଙ୍କ ବିଶ୍ୱାସ ଜିଣ। କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ନ ଲଦି ଟେକ୍ନୋଲଜିର ବ୍ୟବହାର କର। ସ୍ମାର୍ଟ ପୋଲିସିଂକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ଦିଗରେ ଆମେ ପଦକ୍ଷେପ ନେଉଛୁ। ଏଥିରେ ଆମେ ସବୁ ରାଜ୍ୟର ପୋଲିସ ବିଭାଗର ସହଯୋଗ କାମନା କରୁଛୁ”, କହିଛନ୍ତି ନରେନ୍ଦ୍ର ମୋଦୀ।
ଭାରତର ସହରାଞ୍ଚଳରେ ପୋଲିସ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ଦେଶର ୧୦୦ଟି ସହରରେ ସ୍ମାର୍ଟ ପୁଲିସିଂ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଉ ବୋଲି କହିଥିଲେ। ଡିଜିଟାଲ ଠକେଇ, ଆର୍ଟିଫିସିଆଲ ଇଣ୍ଟେଲିଜନ୍ସି ଯୋଗୁଁ ସୃଷ୍ଟି ହୋଇଥିବା ବିପଦକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
‘ବିକଶିତ ଭାରତ’ର ପରିକଳ୍ପନା ସହ ପୋଲିସ ପ୍ରଶାସନକୁ ଆଧୁନିକୀକରଣ ଓ ପୁନର୍ଗଠନ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୋଲିସ କିପରି ସାଧାରଣ ନାଗରିକଙ୍କ ବିଶ୍ୱାସ ଜିଣିବ ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମହିଳା ହିଂସା କମାଇବା ପାଇଁ କେଉଁ ସବୁ ଯୋଜନା କରାଯାଇପାରେ ସେନେଇ ମଧ୍ୟ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।
ଆସନ୍ତାବର୍ଷ ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ତେଣୁ ତୃଣମୂଳସ୍ତରରୁ ପୋଲିସ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ହିଁ ହେବ ସର୍ଦ୍ଦାର ପଟେଲଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଡିଜିପି ସମ୍ମଳନୀର ଶେଷ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମେତ ଜାତୀୟ ସୁରକ୍ଷା ସହ ସଂପୃକ୍ତ ସଂସ୍ଥାର ୭୫୦ରୁ ଅଧିକ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସାମିଲ ହୋଇଥିଲେ।
Tags: #NarendraModi #PMOIndia #OdishaVisit #DGPConference #Bhubaneswar