ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନିଆଯାଉଛି ପଦକ୍ଷେପ। ଏହିକ୍ରମରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ସେମିଳିଗୁଡ଼ା ବ୍ଲକ ପୁଟସିଲ ଓ ଫୁଲବନ୍ଧ ଗାଁ ମଧ୍ୟରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଖୋଲାଯାଇଛି ପୁଟସିଲ ଇକୋ ରିଟ୍ରିଟ୍।

କୋରାପୁଟ ଜିଲ୍ଲାପାଳ ଭି କୀର୍ଥି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଟସିଲ ଇକୋ ରିଟ୍ରିଟର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଗିର୍ଲିମାଳି ପର୍ବତକୁ ଅଧିକରୁ ଅଧିକ ରାଜ୍ୟ ତଥା ବେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏକ ଇକୋ ରିଟ୍ରିଟ୍ ଖୋଲିବାର ଆବଶ୍ୟକତା ରହିଥିଲା। ଏହାଦ୍ଵାରା ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଜିଲ୍ଲାପାଳ କହିଛନ୍ତି।

ରବିବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଦେବବ୍ରତ କରାତେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା, ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ବ୍ଲକ ଅଧକ୍ଷା ଲିଲି ଅଣ୍ଟା ବିରିଆ, ଦୁଧାରି ସରପଞ୍ଚ ମାଧବ ନନ୍ଦିବାଲି, ଜିଲ୍ଲା ପରିଷଦ ସଦସ୍ୟ ମୋହନ ଯାନୀ, ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ, ସେମିଳିଗୁଡ଼ା ଥାନା ଅଧିକାରୀ ସଚିନ୍ଦ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ସେମିଳିଗୁଡ଼ା ବିଡିଓ ଯସ୍ମିନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପୁଟସିଲ ଇକୋ ରିଟ୍ରିଟରେ ମୋଟ ୨୮ଟି କଟେଜ ନିର୍ମାଣ କରାଯାଇଛି। ଏଥିରେ ୫ଟି ପ୍ରିମିୟମ କଟେଜ ସହ ୨୩ଟି ଡିଲକ୍ସ କଟେଜ ରହିଛି। ଏଠାରେ ପର୍ଯ୍ୟଟକଙ୍କୁ ୫ ତାରକା ହୋଟେଲ ଭଳି  ସୁବିଧା ସହ ଖେଳକୁଦ ଏବଂ ମନୋରଞ୍ଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇହିଛି।

Tags: #PutsilEcoRetreat #Koraput #Tourism #Odisha

LEAVE A REPLY

Please enter your comment!
Please enter your name here