ଓଡ଼ିଶାଲାଇଭ୍ ବ୍ୟୁରୋ
ଯାତ୍ରା ମଞ୍ଚରେ ଜିଅନ୍ତା ଘୁଷୁରିକୁ ଝୁଣି ଝୁଣି ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଏହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣାର ବିରୋଧ ପରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗଞ୍ଜାମ ପୋଲିସ ଏବଂ ବନ ବିଭାଗ। ଯାତ୍ରା ମଞ୍ଚରେ ଜିଅନ୍ତା ଘୁଷୁରି ଓ କୁକୁଡ଼ା ଖାଇବା ଏବଂ ସାପ ଖେଳାଉଥିବା କାଳାକାରଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି।
ବନ୍ୟଜନ୍ତୁ ସଂରକ୍ଷଣ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଯାତ୍ରା ପରିଚାଳକ ନାରାୟଣ ସ୍ଵାଇଁ ଘୁଷୁରିକୁ ଖାଇବା ଅଭିଯୋଗରେ କଳାକାର ବିମ୍ବାଧର ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗତ ନଭେମ୍ବର ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମରେ ରାମାୟଣ ନାଟକ ପରବେଷଣ କରାଯାଇଥିଲା। ଏହି ସମୟରେ ସବୁ ସୀମା ଟପି ଯାଇଥିଲେ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା କଳାକାର ବିମ୍ବାଧର ଗୌଡ଼। ଯାତ୍ରା ମଞ୍ଚରେ ଜିଅନ୍ତା ଘୁଷୁରିକୁ ଖୋଲାଖୋଲି ଭବେ ଝୁଣି ଝୁଣି ଖାଇବାର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।
ଏହି ଘଟଣାବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବେଶବିତ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ ଯାତ୍ରା ମଞ୍ଚରେ ଜୀଅନ୍ତା କୁକୁଡ଼ା ଖାଇବା ଏବଂ ସାପ ଖେଳାଇବାର ଦୃଶ୍ୟକୁ ମଧ୍ୟ ସେମାନେ କଡ଼ା ନିନ୍ଦା କରିବା ସହ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଏ ଘୁଷୁରୀ ଯୋଗାଣ କରିଥିଲେ ଏବଂ ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ।
Tags: #JatraPandal #Ganjam #KillingPigs #PoliceAction #Odisha