ପୁଷ୍ପମିତ୍ର ମହାନ୍ତି

“ବିବାହ କରିବାକୁ ମନା କରିବା ଭାରତୀୟ ଆଇନ ଅନୁଯାୟୀ ଆତ୍ମହତ୍ୟା ପାଇଁ ଉସ୍କେଇବା ବୋଲି ବିବେଚନା କରାଯାଇପାରିବ ନାହିଁ”, ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହା କହିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ପଙ୍କଜ ମିଥାଲ ଏବଂ ଜଷ୍ଟିସ ଉଜ୍ଜ୍ଵଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଯୁବତୀଙ୍କ ଆତ୍ମହତ୍ୟା ମାମଲାର ବିଚାର କରି ଏହି ରାୟ ପ୍ରଦାନ କରିଛନ୍ତି।

ଏହି ମାମଲାରେ ଜଣେ ୨୧ ବର୍ଷୀୟା ଯୁବତୀ, ୨୦୦୭ ମସିହାରେ ତାଙ୍କ ପ୍ରେମିକ ବିବାହ କରିବାକୁ ମନା କରିବାରୁ ଆତ୍ମହତ୍ୟା କରିଥିଲେ। ଦୁହେଁ ଦୀର୍ଘ ୮ ବର୍ଷ ଧରି ସମ୍ପର୍କରେ ଥିଲେ। ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ସେ ତାଙ୍କ ଗାଁକୁ ଆସି ବିଷପିଇ ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାର ବିଚାର କରି ପ୍ରଥମେ ନିମ୍ନ ଅଦାଲତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଆତ୍ମହତ୍ୟା ପାଇଁ ଉସ୍କେଇବା କରିବା ସମେତ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ୨୦୧୧ ମସିହାରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସ୍କେଇବା) ଏବଂ ୪୧୭ (ଠକେଇ) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ମୃତକ ଯୁବତୀଙ୍କ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରି କହିଛନ୍ତି, “ପ୍ରମାଣରେ ଉସ୍କେଇବା ପ୍ରମାଣିତ ହୋଇନାହିଁ।”

ସୁପ୍ରିମକୋର୍ଟ ରାୟରେ ଦର୍ଶାଇଛନ୍ତି, ଯୁବତୀଙ୍କ କାର୍ଯ୍ୟ ଯୋଜନାବଦ୍ଧ ଥିଲା, କାରଣ ସେ ତାଙ୍କ ସହ ବିଷ ନେଇ ଯାଇଥିଲେ।

ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କେବଳ ବିବାହ କରିବାକୁ ମନା କରିବା ଆତ୍ମହତ୍ୟା ପାଇଁ ଉତ୍ସାହିତ କରିବା ନୁହେଁ। ସମ୍ପର୍କ ଭାଙ୍ଗିବା, ଭାବନାତ୍ମକ ଭାବରେ ଦୁଃଖଦାୟକ ହୋଇଥିଲେ ମଧ୍ୟ ଅପରାଧିକ ଦୋଷ ସହ ତୁଳନା କରାଯାଇପାରିବ ନାହିଁ। ଏଥିରେ କୋର୍ଟ ଦର୍ଶାଇଛନ୍ତି ଯେ ହୃଦୟ ବିଦାରକ ଏବଂ ଭାବନାତ୍ମକ ଝଟକା ଜୀବନର ଏକ ଅଂଶ ଅଟେ। 

ରମେଶ କୁମାର ବନାମ ଛତିଶଗଡ଼ ରାଜ୍ୟ (୨୦୦୧) ଏବଂ ଏମ୍ ମୋହନ ବନାମ ରାଜ୍ୟ (୨୦୧୧) ଭଳି ପୂର୍ବ ରାୟକୁ ଉଦାହରଣ ଦେଇ ଅଦାଲତ ଦୋହରାଇ ଥିଲେ ଯେ, ଉସ୍କେଇବା ପାଇଁ ଅଭିଯୁକ୍ତଙ୍କ ସକ୍ରିୟ ଏବଂ ପ୍ରତ୍ୟକ୍ଷ ଭୂମିକା ଆବଶ୍ୟକ। କେବଳ ଭାବନାତ୍ମକ ଦୁଃଖ ବା ନିରାଶା ଜଣକୁ ଆତ୍ମହତ୍ୟା ଲାଗି ଉସ୍କେଇବାକୁ ପର୍ଯ୍ୟାପ୍ତ ନୁହେଁ। 

ଆତ୍ମହତ୍ୟା ଉଦ୍ଦେଶ୍ୟରେ ଉତ୍ସାହିତ କରିବା ପାଇଁ ଅଭିଯୁକ୍ତଙ୍କ ଦ୍ୱାରା ସକାରାତ୍ମକ କାର୍ଯ୍ୟର ଆବଶ୍ୟକତା ଉପରେ ରାୟରେ ଗୁରୁତ୍ୱାରୋପ କରାଯାଇଛି। ବିବାହ କରିବାକୁ ମନା କରିବା ଭଳି ବ୍ୟକ୍ତିଗତ ନିଷ୍ପତ୍ତି ଯେପରି ଅନ୍ୟାୟ ଭାବେ ଅପରାଧ ନ ହୁଏ, ତାହା ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ବୋଲି କୋର୍ଟ କହିଛନ୍ତି।

୨୦୨୪ ଜୁଲାଇ ପହିଲାରୁ ଭାରତୀୟ ଦଣ୍ଡବିଧି ସଂହିତାର ସ୍ଥାନ ନେଇଥିବା ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଉସ୍କେଇବା ବା ପ୍ରବର୍ତ୍ତେଇବାର ଆଇନଗତ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବା ପାଇଁ ଏହି ମାମଲା ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ସୃଷ୍ଟି କରିଛି।

Tags: #BrokenRelationship #Suicide #SupremeCourt #Judgement

LEAVE A REPLY

Please enter your comment!
Please enter your name here