ମିନତି ମିଶ୍ର
ଭାରତରେ ନିର୍ବାଚନ ସରିଲେ ଇଭିଏମ ଅର୍ଥାତ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନକୁ ନେଇ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ। କିଛି ଦଳ ନିର୍ବାଚନ ହାରିବା ପରେ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଦୋଷ ଦେଇଥାନ୍ତି। କେବଳ ଭାରତ ନୁହେଁ ଅନେକ ଦେଶରେ ଏମିତି ସ୍ଥିତି ଦେଖିବାକୁ ମିଳିଥାଏ। ଏଭଳି କିଛି ଦେଶ ଅଛି ଯେଉଁଠାରେ ଇଭିମ ବ୍ୟବସ୍ଥାକୁ ବନ୍ଦ କରି ପୁଣି ବାଲାଟ୍ ପେପର ମାଧ୍ୟମରେ ଭୋଟିଂ ଆରମ୍ଭ କରାଯାଇଛି।
ନିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଏମିତି ଅଭିଯୋଗ ଆସିଛି। ଏଥିପାଇଁ ମହାରାଷ୍ଟ୍ରର ଏକ ଗାଁ ମରକାଡ଼ବାଡ଼ିରେ ଗ୍ରାମବାସୀମାନେ ମଙ୍ଗଳବାର ଦ୍ଵିତୀୟଥର ପାଇଁ ବାଲାଟ୍ ପେପରରେ ମତଦାନ କରିବାକୁ ସ୍ଥିର କରିଥିଲେ। ଏହାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବେଆଇନ ଘୋଷଣା କରାଯିବା ସହ ଏହି ଅଞ୍ଚଳରେ ଡିସେମ୍ବର ୫ ତାରିଖ ଯାଏଁ କର୍ଫ୍ୟୁ ଲଗାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ, ହେଲେ ଭୋଟ ଅନ୍ୟ ପ୍ରାର୍ଥୀଙ୍କୁ ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନେ ଇଭିଏମକୁ ଚ୍ୟାଲେଞ୍ଜ କରି ପୁନଃ ବାଲାଟ୍ ପେପରରେ ଭୋଟିଂ କରିବାକୁ ବାହାରିଥିଲେ।
ଅନେକ ଦେଶରେ ଇଭିଏମକୁ ବିରୋଧ
ଖାଲି ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନକୁ ନେଇ ଏମିତି ବିବାଦ ଦେଖା ଦେଇଛି। ବାଂଲାଦେଶରେ ଇଭିଏମ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସେହିପରି ଅନ୍ୟତମ ଏସୀୟ ଦେଶ ଜାପାନରେ ମଧ୍ୟ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଏଠାରେ ଇଭିଏମ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।
ଏଥିସହିତ ନେଦରଲାଣ୍ଡ, ଜର୍ମାନୀ ଓ ଆୟରଲାଣ୍ଡରେ ମଧ୍ୟ ଇଭିଏମ ବ୍ୟବହାରକୁ ବନ୍ଦ କରି ପୁଣି ବାଲାଟ୍ ପେପରରେ ଭୋଟିଂ କରାଯାଉଛି।
୨୦୨୩ରୁ ବାଂଲାଦେଶରେ ଇଭିଏମ ବନ୍ଦ
ବଂଲାଦେଶରେ ୨୦୧୮ ମସିହା ସଂସଦୀୟ ନିର୍ବାଚନରେ ଇଭିଏମ ବ୍ୟବହାର କରାଯାଇଥିଲା। ତେବେ ବିରୋଧୀ ଦଳ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଏଠାରେ ଇଭିଏମର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଥିଲା। ବଂଲାଦେଶ ନାସନାଲିଷ୍ଟ ପାର୍ଟି (ବିଏନପି) ଏହାର ଦୁରୁପଯୋଗ ଅଭିଯୋଗ ଆଣିଥିଲା।
ଦେଶରେ ଇଭିଏମ କିଣିବା ପାଇଁ ୮,୭୧୧ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ବାଂଲାଦେଶ ସରକାର। ତେବେ ୨୦୨୩ ନିର୍ବାଚନରେ ଇଭିଏମକୁ ବ୍ୟାନ କରାଯାଇଥିଲା। ବଂଲାଦେଶରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ମଧ୍ୟ ବାଲାଟ ପେପରରେ କରାଯିବ।
ଇଭିଏମକୁ ଅସାମ୍ବିଧାନିକ ଦର୍ଶାଇଲେ ଜର୍ମାନୀ କୋର୍ଟ
୨୦୦୯ରେ ଜର୍ମାନୀର ଏକ କୋର୍ଟ ଇଭିଏମକୁ ଅସାମ୍ବିଧାନିକ ବୋଲି ଦର୍ଶାଇ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ସିଷ୍ଟମରେ ତ୍ରୁଟି କିମ୍ବା ଜାଣିଶୁଣି ହେରଫେର କରିବାର ସମ୍ଭାବନା ରହିଛି ବୋଲି ସ୍ୱୀକାର କରିଥିଲେ। କୋର୍ଟ ଏହି ରାୟ ଶୁଣଇବା ପରେ ଜର୍ମାନୀ ପୁଣିଥରେ ବାଲାଟ୍ ପେପରକୁ ଫେରିବା ଆରମ୍ଭ କରିଥିଲା।
ନେଦରଲାଣ୍ଡରେ ଇଭିଏମର ଯାଞ୍ଚ ପାଇଁ ବସିଲା କମିଟି
ନେଦରଲାଣ୍ଡରେ ୨୦୦୬ରେ ଇଭିଏମକୁ ନେଇ ବିରୋଧ କରାଯାଇଥିଲା। ଭୋଟିଂ ମେସିନରେ ହେରଫେର କରିବାର ଆଶଙ୍କା ଥିବା ଅଭିଯୋଗ କରା ଯାଇଥିଲା। କେହି ନିର୍ବାଚନ ପୂର୍ବରୁ ଏହି ଇଭିଏମ ସହ ଟ୍ୟାମ୍ପରିଂ କରେ ତେବେ ନିର୍ବାଚନ ପରିଣାମ ବଦଳି ଯାଇପାରେ। ଏ ନେଇ ନେଦରଲାଣ୍ଡରେ ଦୁଇଟି ଯାଞ୍ଚ କମିଟି ବସିଥିଲା। ପରେ ଇଭିଏମକୁ ବ୍ୟାନ କରାଯାଇଥିଲା।
୨୦୧୦ରୁ ଆୟାରଲାଣ୍ଡରେ ବ୍ୟାନ ହେଲାଣି ଇଭିଏମ
ସେହିପରି ଆୟରଲାଣ୍ଡରେ ୨୦୧୦ରେ ଇଭିଏମ ଭୋଟିଂ ସିଷ୍ଟମକୁ ବନ୍ଦ କରି ଦିଆଯାଇଥିଲା। ଇଭିଏମର ବିଶ୍ୱସନିୟତା ଏବଂ ପାରଦର୍ଶିତା ଯଥେଷ୍ଟ ନଥିବା ଅଭିଯୋଗ ଆସିଥିଲା। ସମାନ ଅଭିଯୋଗ ଇଟାଲିରେ ମଧ୍ୟ ଆସିଥିଲା। ଇଟାଲିରେ ଆୟରଲାଣ୍ଡ ପୂର୍ବରୁ ଅର୍ଥାତ ୨୦୦୯ରେ ଏହାକୁ ବ୍ୟାନ କରାଯାଇଥିଲା।
Tags: #EVM #Voting #BallotPaper #ECI #India