ପୁଷ୍ପମିତ୍ର ମହାନ୍ତି
ସାଇବର ଅପରାଧ ଓ ମୋବାଇଲ ମାଲୱେର ଆକ୍ରମଣ କ୍ଷେତ୍ରରେ ଭାରତ ଏବେ ସମଗ୍ର ବିଶ୍ଵରେ ଶୀର୍ଷ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ଭାରତ ଆମେରିକା ଏବଂ କାନାଡାକୁ ପଛରେ ପକାଇଛି। ଜେଡସ୍କେଲର ଥ୍ରେଟଲାବ୍ ପକ୍ଷରୁ ଜାରି ୨୦୨୪ ମୋବାଇଲ, ଆଇଓଟି ଏବଂ ଓଟି ଥ୍ରେଟ୍ ରିପୋର୍ଟ ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଜୁନ୍ ୨୦୨୩ରୁ ମେ’ ୨୦୨୪ ମଧ୍ୟରେ ୨୦ ବିଲିୟନରୁ ଅଧିକ ବିପଦ ସମ୍ବନ୍ଧୀୟ ମୋବାଇଲ୍ କାରବାରର ବିଶ୍ଳେଷଣ କରାଯାଇଥିଲା। ଏହା ଦେଶରେ ସାଇବର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ବର୍ତ୍ତମାନ ବିଶ୍ୱର ମୋଟ ମୋବାଇଲ୍ ମାଲୱେୟାର ଆକ୍ରମଣ ମଧ୍ୟରୁ୨୮ ପ୍ରତିଶତ ଭାରତରେ ହେଉଛି। ଏହା ପଛକୁ ସାଇବର ଆକ୍ରମଣର ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକାରେ ୨୭.୩ ପ୍ରତିଶତ ଏବଂ କାନାଡାରେ ୧୫.୯ ପ୍ରତିଶତ ରହିଛି। ମାଲୱେୟାର ଆକ୍ରମଣ କ୍ଷେତ୍ରରେ ଭାରତ ଗତବର୍ଷ ତୃତୀୟ ସ୍ଥାନରେ ଥିବାବେଳେ ଏବେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଏହି ରିପୋର୍ଟରେ ବ୍ୟାଙ୍କିଙ୍ଗ ମାଲୱେରରେ ୨୯ ପ୍ରତିଶତ ଏବଂ ମୋବାଇଲ ସ୍ପାଇୱେୟାର ଆକ୍ରମଣରେ ୧୧୧ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଦର୍ଶାଯାଇଛି। ଟ୍ରୋଜନ୍ ସବୁଠାରୁ ସାଧାରଣ ମାଲୱେର ହୋଇ ରହିଛି, ଯାହା ବ୍ୟବହାରକାରୀଙ୍କୁ କ୍ଷତିକାରକ ସଫ୍ଟୱେୟାର୍ ଡାଉନଲୋଡ୍ କରିବାକୁ ପ୍ରଲୋଭନ ଦେଖାଇ ଠକିଥାଏ।
ନଜରରେ ରହିଛି ବ୍ୟାଙ୍କିଙ୍ଗ କ୍ଷେତ୍ର
ଏଚଡିଏଫସି, ଆଇସିଆଇସିଆଇ ଏବଂ ଆକ୍ସିସ ଭଳି ଭାରତୀୟ ବ୍ୟାଙ୍କ ପ୍ରମୁଖ ସାଇବର ଅପରାଧୀଙ୍କ ଟାର୍ଗେଟରେ ଅଛନ୍ତି। ସାଇବର ଅପରାଧୀମାନେ ସମ୍ବେଦନଶୀଳ ତଥ୍ୟ ଚୋରି କରିବା ପାଇଁ ପ୍ରକୃତ ବ୍ୟାଙ୍କିଙ୍ଗ ପୋର୍ଟାଲ ଭଳି ଫିସିଂ ୱେବସାଇଟ ବ୍ୟବହାର କରନ୍ତି। ନକଲି କାର୍ଡ ଅପଡେଟ୍ ପେଜ୍ ମଧ୍ୟ ବ୍ୟାପକ ଆର୍ଥିକ ଠକେଇକୁ ସହଜ କରିଛି।
ବାଦ ପଡ଼ିନି ଡାକ ସେବା
ଭାରତୀୟ ଡାକ ସେବା ମଧ୍ୟ ବାରମ୍ବାର ସାଇବର ଅପରାଧୀଙ୍କ ଟାର୍ଗେଟ ପାଲଟିଛି। ଆକ୍ରମଣକାରୀମାନେ ଉପଭୋକ୍ତାଙ୍କ ଫିସିଂ ସାଇଟକୁ ନିର୍ଦ୍ଦେଶ ଦେବା ପାଇଁ ଏସଏମଏସ ସ୍କାମ୍ ବ୍ୟବହାର କରନ୍ତି। ଏଠାରେ ସେମାନେ ଡେଲିଭରି ସମସ୍ୟାର ସମାଧାନ କରିବା ବାହାନାରେ କ୍ରେଡିଟ୍ କାର୍ଡ ବିବରଣୀ ସଂଗ୍ରହ କରନ୍ତି।
ଆଇଓଟି ଏବଂ ଓଟି ସିଷ୍ଟମ ପ୍ରତି ବଢୁଛି ବିପଦ
ରିପୋର୍ଟରେ ଲିଗେସି ସିଷ୍ଟମ ଏବଂ ଅସୁରକ୍ଷିତ ଆଇଓଟି/ଓଟି ପରିବେଶ ଉପରେ ଆକ୍ରମଣ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ କରାଯାଇଛି। ଏହି ପ୍ରଣାଳୀଗୁଡିକୁ ସେମାନଙ୍କର ଦୁର୍ବଳତା କାରଣରୁ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଛି।
ବୈଶ୍ୱିକ ଧାରା ଏବଂ ଚିନ୍ତା
ଗୁଗୁଲ ପ୍ଲେ ଷ୍ଟୋରରେ ବିଶ୍ୱବ୍ୟାପୀ ୨୦୦ରୁ ଅଧିକ କ୍ଷତିକାରୀ ଆପ୍ ମିଳିଥିଲା। ଆଇଓଟି ମାଲୱେୟାର କାରବାରରେ ବାର୍ଷିକ ତୁଳନାରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି।
ସାଇବର ସୁରକ୍ଷାର ଜରୁରୀ ଆବଶ୍ୟକତା
ଏ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥାର ସୁରକ୍ଷା ପାଇଁ ଜିରୋ ଟ୍ରଷ୍ଟ ସିକ୍ୟୁରିଟି ଫ୍ରେମୱାର୍କ ଗ୍ରହଣ କରିବାକୁ ବିଶେଷଜ୍ଞମାନେ ଭାରତୀୟ ଉଦ୍ୟୋଗଗୁଡ଼ିକୁ ଅନୁରୋଧ କରିଛନ୍ତି। ପରସ୍ପର ସହ ଜଡ଼ିତ ଡିଜିଟାଲ ଦୁନିଆରେ ବ୍ୟବସାୟର ନିରନ୍ତରତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଜରୁରୀ ଅଟେ ବୋଲି ସେମାନେ ଦର୍ଶାଇଛନ୍ତି।
ଭାରତରେ ଦୃଢ଼ ସାଇବର ନିୟମର ଆବଶ୍ୟକତା
ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ପଞ୍ଚମରୁ ସପ୍ତମ ସ୍ଥାନକୁ ଖସି ଆସି ମାଲୱେୟାର ଉତ୍ପତ୍ତି ସ୍ଥଳ ଭାବେ ନିଜର ଭୂମିକା ହ୍ରାସ କରିବାରେ କିଛିଟା ଉନ୍ନତି ଦେଖାଇଛି।
ତେବେ ଦେଶରେ ସାଇବର ଅପରାଧ ବଢ଼ୁଥିବାରୁ ଭାରତରେ ଦୃଢ଼ ସାଇବର ନିରାପତ୍ତା ପଦକ୍ଷେପର ଜରୁରୀ ଆବଶ୍ୟକତା ଉପରେ ଏହି ଗବେଷଣାରେ ଗୁରୁତ୍ୱାରୋପ କରାଯାଇଛି।
Tags: #CyberSecurity #MalwareAttack #BankingSector #India