ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରି ୨୧ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ଧମକ ଦେଇ ଚାଲିଛନ୍ତି। ସେ ରାଷ୍ଟ୍ରପତି ହେବାପରେ ଚୀନ, କାନାଡା ଓ ମେକ୍ସିକୋ ଉପରେ କଡ଼ା ବାଣିଜ୍ୟ କର ଲଗାଇବେ ବୋଲି କହିଛନ୍ତି। ସୋମବାର ଏକ ବାର୍ତ୍ତା ଦେଇ ଟ୍ରମ୍ପ କହିଛନ୍ତି ତାଙ୍କ ଶପଥ ଗ୍ରହଣ ପୂର୍ବରୁ ଗାଜାରେ ବନ୍ଧକ ରଖାଯାଇଥିବା ଲୋକଙ୍କୁ ମୁକ୍ତ କରା ନଯାଏ ତେବେ ମଧ୍ୟପ୍ରାଚ୍ୟର ସ୍ଥିତି ଭୟଙ୍କର ହେବ।
ଗତବର୍ଷ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରି ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ କରି ନେଇଥିଲା ହମାସ। ଏହି ବନ୍ଧକଙ୍କ ମଧ୍ୟରେ ଇସ୍ରାଏଲ ଏବଂ ଆମେରିକାର ନାଗରିକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ବନ୍ଧକ ଜୀବିତ ଥିବା ଅନୁମାନ କରାଯାଉଛି।
ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି, “ଯଦି ୨୦୨୫ ଜାନୁଆରି ୨୦ ତାରିଖ ସୁଦ୍ଧା ବନ୍ଧକଙ୍କୁ ମୁକ୍ତ କରା ନ ଯାଏ ତେବେ ମଧ୍ୟପ୍ରାଚ୍ୟର ସ୍ଥିତି ଭୟଙ୍କର ହେବ। ମାନବବାଦ ବିରୋଧରେ ହମାସ ଆତଙ୍କବାଦୀମାନେ ଅତ୍ୟାଚାର କରୁଛନ୍ତି। ଯେଉଁମାନେ ଏପରି କାମ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଠିକ୍ ସମୟ ମଧ୍ୟରେ ବନ୍ଧକଙ୍କୁ ମୁକ୍ତ କରାନଗଲେ ତେବେ ଆମେରିକା ଏପରି ଦଣ୍ଡ ଦେବ ଯାହା ଆଜି ଯାଏ କାହାକୁ ମିଳିନାହିଁ।”
ହମାସ ପକ୍ଷରୁ କୁହାଯାଇଛି, “ବନ୍ଧକଙ୍କ ମଧ୍ୟରୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ବନ୍ଧକଙ୍କୁ ମୁକ୍ତ କରିବା ନେଇ ହମାସ ଚୁକ୍ତି ରଖିଛି ଯେ ପଲେଷ୍ଟାଇନରେ ଯୁଦ୍ଧ ଶେଷ ନ ହେବା ଏବଂ ଗାଜାରୁ ଇସ୍ରାଏଲର ସୈନ୍ୟ ଫେରି ନ ଯିବା ଯାଏଁ ବନ୍ଧକଙ୍କୁ ଛଡ଼ା ଯିବ ନାହିଁ।”
ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହମାସର ଅନ୍ତ ନହେବା ଯାଏଁ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି। ବନ୍ଧକଙ୍କ ମୁକ୍ତି ଦାବି ନେଇ ଇସ୍ରାଏଲରେ ବି ନେତନ୍ୟାହୁଙ୍କ ବିରୋଧରେ ସ୍ୱର ଉଠୁଛି। ଏପରି ସ୍ଥିତିରେ ଟ୍ରମ୍ପଙ୍କ ଧମକ ବେଶ ଗୁରୁତ୍ୱପୂର୍ଣ୍ଣ।
Tags: #Israel-HamasWar #Hostages #GAZA #DonaldTrump #GeoPolitics