ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତୀୟ ନୌସେନା ଦିବସ ଅବସରରେ ପୁରୀରେ ସ୍ଵତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବ୍ଲୁ ଫ୍ଲାଗ ବେଳାଭୂମିରେ ଦେଶର ନୌବୀରମାନେ ପରାକ୍ରମ ଦେଖାଇଛନ୍ତି। ଏନେଇ ସମଗ୍ର ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଥିଲେ। ଏହାସହ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ବୁଧବାର ଅପରାହ୍ଣ ୪ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାରୋହ ସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ନୌସୈନିକମାନେ ଗାର୍ଡ ଅଫ୍ ଅନର ଦେଇଥିଲେ। ଏହାପରେ ନୌସେନାର ଯୁଦ୍ଧ ଜାହାଜ, ଫାଇଟର ଜେଟ୍ ଓ ମାର୍କୋସ୍‌ କମାଣ୍ଡୋମାନଙ୍କ ରଣକୌଶଳ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ଏହି ସମାରୋହରେ ଏଥିରେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ଟି ଫାଇଟର ଜେଟ୍ ଓ ହେଲିକପ୍ଟର ସାମିଲ ହୋଇଥିଲେ। ମାର୍କୋସ୍‌ କମାଣ୍ଡୋମାନେ ଆଣ୍ଟି ପାଇରେସି ଅପରେସନର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନଏସ ଜଳସ୍ଵ, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ଦିଲ୍ଲୀ, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ସର୍ୟୁ, ଆଇଏନ୍‌ଏସ୍‌ ସାତପୁରା ପ୍ରମୁଖ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେହିପରି ଆକାଶରେ ନୌସେନାର ଫାଇଟର ଜେଟ୍ ମିଗ୍-୨୯ କେ, ପି-୮ ଆଇ ଏବଂ ଚେତକ, ସି କିଙ୍ଗ ଓ ଏମଏଚ-୬୦ ଭଳି ହେଲିକପ୍ଟର ଯୁଦ୍ଧ କଳା ପ୍ରଦର୍ଶନ କରିଥିଲେ।

ସମାରୋହ ପାଇଁ ଉଭୟ ସମୁଦ୍ର ଓ ଆକାଶରେ ୨୦ ପ୍ରକାର ରଣ କୌଶଳ ପ୍ରଦର୍ଶିତ ହୋଇଥିଲା। ଏହାସହ ଏନ୍‌ସିସି କ୍ୟାଡେଟ୍‌ଙ୍କ ଡ୍ରିଲ୍‌, ନାଭାଲ୍‌ ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ଏବଂ ମଞ୍ଚ ଉପରେ ନୌସୈନିକଙ୍କ ରୋମାଞ୍ଚକାରୀ ଡ୍ରିଲ୍‌ ପରିବେଷଣ କରିଥିଲେ।

ଭାରତୀୟ ନୌସେନାଙ୍କ ସେହି ବୀରତ୍ଵର ଗାଥାକୁ ମନେ ପକାଇବାକୁ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଏ। ଏହି ସମାରୋହ ପ୍ରତିବର୍ଷ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପାଳିତ ହୋଇ ଆସୁଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ପୁରୀରେ ଆୟୋଜିତ ହେଉଛି।

ଏହି ସମାରୋହରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭାର ବଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହସହ ରାଜ୍ୟର ଅନେକ ମନ୍ତ୍ରୀ ଓ ବିଧାୟକ ଏହି ସମାରୋହରେ ସାମିଲ ହୋଇଥିଲେ।   

Tags: #IndianNavyDay #IndianNavy #Puri #BlueFlagBeach #Odisha

LEAVE A REPLY

Please enter your comment!
Please enter your name here