ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବାକୁ ଯାଉଛି ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ଆର୍ଥିକ କ୍ୟାବିନେଟ୍ କମିଟି ବୈଠକରେ ସମଗ୍ର ଦେଶରେ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ଜବାହାର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରାଯାଇଛି। ସେଥିରୁ ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ।
ଓଡ଼ିଶାରେ ସମ୍ବଲପୁରର କୁଚିଣ୍ଡା, ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ପରିସର, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ରେଲୱେ ପରିସର ଓ ପାଟଣାଗଡ଼ରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ।
“ଭାରତରେ ଏବଂ ଓଡ଼ିଶାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଆମ ଶିକ୍ଷା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ଵଳ ହେବ। ସବୁ ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ଶିକ୍ଷାର ମାନରେ ଉନ୍ନତି ହେବାସହ ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ ତଥା ବୌଦ୍ଧିକ କ୍ଷମତା ବିକଶିତ ହେବ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଭାରତରେ ୮୫ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୫ ହଜାର ୮୭୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨ ହଜାର ୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର।
Tags: #KendriyaVidyalaya #Education #Schools #Odisha #MinistryofEducation