ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତ ଲହରୀ ଜାରି ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶନିବାର ସକାଳେ ରାଜ୍ୟର ଏକାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ କରାଯାଇଛି। ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୫.୨ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮.୮ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟ ଜିଲ୍ଲାର ସେମେଳିଗୁଡ଼ାରେ ୯ ଡିଗ୍ରୀ, ଦାରିଙ୍ଗବାଡିରେ ୧୦.୫ ଡିଗ୍ରୀ, ଅନୁଗୁଳରେ ୧୦.୬ ଡିଗ୍ରୀ, ଭାବନୀପାଟଣାରେ ୧୧ ଡିଗ୍ରୀ ଓ କୋରାପୁଟରେ ୧୧.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଗାମୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିବା  ନେଇ ପୂର୍ବାନୁମାନ କରାଯାଇଛି।

ଶନିବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଜିଲ୍ଲାର ବାରାକାମୁଡାରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଚହଲାରେ ୪ ଡିଗ୍ରୀ ଓ ବରେହିପାଣିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟରେ ଏବେ କିଛି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ରାଜ୍ୟର ଅନେକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଶନିବାର ଓ ରବିବାର ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। 

Tags: #Coldwave #Winter #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here