ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଟ୍ ଜିପିଟି ବିକାଶ କରିଥିବା ଅଗ୍ରଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏବେ ଚର୍ଚ୍ଚାର ଘେରକୁ ଆସିଛି। ଭାରତୀୟ ଆମେରିକୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ସନ୍ଦେହଜନକ ମୃତ୍ୟୁ କମ୍ପାନି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୨୬ ବର୍ଷୀୟ ସୁଚିର କିଛି ଦିନ ତଳେ କମ୍ପାନିର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିଥିଲେ। ଶନିବାର ସାନଫ୍ରନସିସ୍କୋରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ଏବେ ‘ଓପନ୍ ଏଆଇ’ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଛି।
ଦୀର୍ଘ ସମୟ ଧରି ସୁଚିର ତାଙ୍କ ଘରୁ ବାହାରୁ ନଥିଲେ। ସାଙ୍ଗମାନେ ଫୋନ କଲେ ବି କଲ ଉଠାଉ ନଥିଲେ। ତାଙ୍କର ସାଙ୍ଗ ଏବଂ ସହକର୍ମୀ ଯେତେବେଳେ ତାଙ୍କ ଘରେ ପହଞ୍ଚିଲେ, ଭିତରୁ କବାଟ ବନ୍ଦ ଥିଲା। ପୋଲିସ କବାଟ ଭାଙ୍ଗି ତାଙ୍କ ଘର ଭିତରକୁ ପ୍ରବେଶ କରିବା ପରେ ତାଙ୍କର ମୃତଦେହ ପାଇଥିଲେ।
ସୁଚିର ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ସାନଫ୍ରାନସିସ୍କୋ ଚିଫ ମେଡିକାଲ ଅଫିସ ଡାଇରେକ୍ଟର ମଧ୍ୟ ମିଡିଆକୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି କହିଛନ୍ତି।
ସୁଚିର ବାଲାଜୀ ଗତ ଅଗଷ୍ଟରେ ଓପନ୍ ଏଆଇରୁ ଇସ୍ତଫା ଦେଇଥିଲେ। କମ୍ପାନି ବିରୋଧରେ ସେ କପିରାଇଟ ଉଲ୍ଲଘଂନର ଗୁରୁତର ଅଭିଯୋଗ ଆଣିଥିଲେ। ସୁଚିରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଇଣ୍ଟରନେଟରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୁଚିର ବାଲାଜୀ ଓପନ ଏଆଇରେ ୪ ବର୍ଷ ଧରି କାମ କରିଥିଲେ। ଚାଟ ଜିପିଟିକୁ ବିକଶିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଓପନ ଏଆଇ ବିରୋଧରେ କରି କପିରାଇଟ ମାଟେରିଆଲ ଉପଯୋଗ କରୁଥିବା ଅଭିଯୋଗ ଆଣିଥିଲେ।
ସେ କହିଥିଲେ, “ଓପନ ଏଆଇ ତା’ର ନିଜସ୍ୱ ପ୍ରୋଗ୍ରାମ, ଚାଟ୍ ଜିପିଟିକୁ ଟ୍ରେନ କରାଇବା ଆଦି କାମରେ ଆଇନ ବିରୋଧୀ କାମ କରି କପିରାଇଟ ମାଟେରିଆଲ ଉପଯୋଗ କରୁଛି। ଏହି ଟେକ୍ନୋଲଜି ଇଣ୍ଟରନେଟକୁ କ୍ଷତିରେ ପକାଉଛି।”
ପୂର୍ବରୁ ନ୍ୟୁୟର୍କ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ ସୁଚିର କହିଥିଲେ, “ଓପନ୍ ଏଆଇର କାର୍ଯ୍ୟଶୈଳୀ ଇଣ୍ଟରନେଟ ଇକୋସିଷ୍ଟମ ଏବଂ ତା’ ସହ ଜଡିତ ବ୍ୟବସାୟ ଓ ଲୋକଙ୍କ ପାଇଁ ହାନିକାରକ। ଅନେକ ଲେଖକ, ପ୍ରୋଗ୍ରାମର, ପତ୍ରକାର ଓପେନ ଏଆଇ ବିରୋଧରେ କରିଥିବା ମକଦ୍ଦମାକୁ ସୁଚିରଙ୍କର ଏହି ଅଭିଯୋଗ ବଳ ଯୋଗାଇଥିଲା। ତେବେ ହଠାତ ତାଙ୍କର ମୃତ୍ୟୁକୁ ନେଇ ଏବେ ଅନେକ ସନ୍ଦେହ କରାଯାଉଛି।
Tags: #SuchirBalaji #Death #OpenAI #Allegation #SanFransisco #USA