ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ରାତି ପାଇଁ ବଦଳି ଯାଇଥିଲା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ପରିଚୟ। ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲର କଏଦୀ ନମ୍ବର ୭୬୯୭ ପାଲଟିଲେ ଅଭିନେତା ଅଲ୍ଲୁ ଅର୍ଜୁନ। ଜେଲ ଭିତରେ ଗୋଟିଏ ରାତି କଟାଇଥିଲେ ସେ। ଜେଲର ଚଟାଣରେ ଶୋଇଲେ ଓ ପୁରା ରାତି ଉପାସ ରହିଲେ ଅଲ୍ଲୁ ଅର୍ଜୁନ।
ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ସମ୍ମୁଖରେ ହୋଇଥିବା ଦଳଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଲ୍ଲୁ ଅର୍ଜ୍ଜୁନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଦିନ ତାଙ୍କ ବାସଭବନରୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ।
ଡାକ୍ତରଖାନାରେ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଅଲ୍ଲୁ ଅର୍ଜୁନଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। ମାମଲାର ବିଚାର କରି କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ପରେ ତାଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲକୁ ପଠାଯାଇଥିଲା।
ତେବେ କିଛି ସମୟ ପରେ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ତେଲଙ୍ଗାନା ହାଇକୋର୍ଟ। ଗିରଫ ପରେ ପରେ ଏହି ମାମଲାର ଜରୁରୀ ଶୁଣାଣି କରିବା ପାଇଁ ତେଲଙ୍ଗାନା ହାଇକୋର୍ଟରେ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଥିଲା।
୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ କାଗଜପତ୍ର କାମରେ ବିଳମ୍ବ ହେବାରୁ ଜାମିନ ମିଳିବା ସତ୍ତ୍ୱେ ଅଲ୍ଲୁଙ୍କୁ ଶୁକ୍ରବାର ରାତି ଜେଲରେ କଟାଇବାକୁ ପଡ଼ିଥିଲା।
ଶନିବାର ସକାଳୁ ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜ୍ଜୁନ କହିଛନ୍ତି, “ମୁଁ ପୂରା ଠିକ୍ ଅଛି। ଯାହା ସବୁ ଘଟିଗଲା ସେଥିପାଇଁ ମୁଁ ଦୁଃଖିତ। ଏହି ଘଟଣାରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବି।”
ଜେଲରୁ ବାହାରିବା ପରେ ଘରେ ପହଞ୍ଚିବା ପୂର୍ବରୁ ଅଲ୍ଲୁ ଗୀତା ଆର୍ଟସର କାର୍ଯ୍ୟାଳୟକୁ ଯାଇଥିଲେ। ଗୀତା ଆର୍ଟ୍ସ ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ସିନେମା ପ୍ରଡକ୍ସନ କମ୍ପାନି। ୧୯୭୨ ମସିହାରେ ଅଲ୍ଲୁ ଅର୍ଜୁନଙ୍କ ବାପା ଅରବିନ୍ଦ ଏହାକୁ ଆରମ୍ଭ କରିଥିଲେ। ଏବେ ଏହାକୁ ଅଲ୍ଲୁ ଅର୍ଜ୍ଜୁନ ଚଲାଉଛନ୍ତି।
ଏହାପରେ ସେ ନିଜ ଘରକୁ ଯାଇଥିଲେ। ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପରେ ପତ୍ନୀ ସ୍ନେହା ରେଡ୍ଡୀ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ପିଲାମାନେ ଅଲ୍ଲୁଙ୍କୁ ଆଲିଙ୍ଗନ କରିବା ବେଳେ କାନ୍ଦି ପକାଇଥିଲେ।
Tags: #Pushpa-2 #Jail #AlluArjun #Premiere #Stampede #Hyderabad #Death