ଭାସ୍କର ପରିଚ୍ଛା

“ପ୍ରଫେସର ବୈଷ୍ଣବ ଚରଣ ସାମଲ (୧୯୩୬) ଜଣେ ଶ୍ରଦ୍ଧାଶୀଳ ଜ୍ଞାନଦୀପ୍ତ ମଣିଷ। ନିଜସ୍ଵ ସାଧନାରେ ଭାସ୍କର। ଜାତୀୟ ଅସ୍ମିତା ଓ ସାଂସ୍କୃତିକ ଚେତନାରେ ରୁଦ୍ଧିମନ୍ତ। ଅନଅହଂବାଦୀ, ସଙ୍କଳ୍ପସିଦ୍ଧ ଏହି ମଣିଷଟି ନିଜର ପ୍ରଜ୍ଞା ଓ ପ୍ରତିଭା ବଳରେ ସାଧାରଣ ଅଧ୍ୟାପକରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଓ ଶାନ୍ତି ନିକେତନ, ବିଶ୍ଵଭାରତୀ ପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ ଗୌରବ ଅର୍ଜନ କରିଛନ୍ତି। ନିଜର ସାରସ୍ଵତ କୃତୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର, କଟକ ସାରଳା ପୁରସ୍କାର ଆଦି ପୁରସ୍କାରରେ ସମ୍ମାନିତ ସେ। କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ସମ୍ପାଦନା ଓ ସମାଲୋଚନା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ବ୍ୟକ୍ତିତ୍ଵ ଭାସ୍କର। ଏ ପର୍ଯ୍ୟନ୍ତ ୧୨୫ ଖଣ୍ଡ ପୁସ୍ତକର ପ୍ରଣେତା।” ଏହିଭଳି ଏକ ପରିଚୟ ଦେଇଛନ୍ତି ଅମରେନ୍ଦ୍ର ମହାପାତ୍ର – ପୁସ୍ତକର ପ୍ରକାଶକ।

‘ଆଲୋକ ଆଲୋକନ ବିଲୋକନ ‘ ଶୀର୍ଷକ ଯେମିତି ଛନ୍ଦୋବଦ୍ଧ, ପୁସ୍ତକରେ ସ୍ଥାନିତ ପ୍ରବନ୍ଧଗୁଡ଼ିକ ମଧ୍ୟ ସେହିଭଳି ଏକ ଶୃଙ୍ଖଳାର ଅଂଶ ବିଶେଷ। ମୁଖବନ୍ଧରେ ପ୍ରଫେସର ସାମଲଙ୍କ ବିନମ୍ରଭାବ ଲକ୍ଷ୍ୟଣୀୟ: ‘ମୋ ପ୍ରବନ୍ଧଗୁଡ଼ିକରେ କଣ ମୂଲ୍ୟବୋଧ ଅଛି ବା ନାହିଁ ମୁଁ ଜାଣେନା। ତାହା ସୁଧୀ ପାଠକମାନଙ୍କର ବିଚାର୍ଯ। ଯାହା ମାଟି, ମଣିଷ ଓ ସଂସ୍କୃତିର ବାସ୍ନାରେ ବାସ୍ନାୟିତ ବୋଲି ଉପଲବ୍ଧ କରିଛି ତାହାକୁ ଦୃଷ୍ଟି ପଥରେ ରଖି ମୁଁ ଲେଖିଛି ମୋର ସମାଲୋଚନା। ସେଥିରେ ମୁଁ ଆଲୋକ ଦେଖିଛି, ତାହାକୁ ଅନ୍ତର୍ଦୃଷ୍ଟି ଦେଇ ନିରୀକ୍ଷଣ କରିଛି, ଗଭୀର ଭାବରେ ବିଲୋକନ କରିଛି ଓ ତାହାକୁ ମୁଁ ରୂପ ଦେଇଛି ମୋ ଶୈଳୀରେ ପ୍ରବନ୍ଧ ମାନଙ୍କରେ।’

ପୁସ୍ତକରେ ସ୍ଥାନିତ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହ କିଛି ବିଭିନ୍ନ ସେମିନାରରେ ଉପସ୍ଥାପିତ ହୋଇଛି। ବୈଷ୍ଣବ ସାମଲଙ୍କ ପ୍ରବନ୍ଧ ରଚନା ବିଶାଳ ଓ ଅନନ୍ତ। ନିଜେ ପ୍ରଫେସର ସାମଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଜୀବନ ତମାମ ତାଙ୍କ ଦ୍ଵାରା ଲିଖିତ ପ୍ରବନ୍ଧର ସଂଖ୍ୟାକୁ ନେଇ।

ଏହି ପୁସ୍ତକରେ ମୋଟ ୨୫ଟି ପ୍ରବନ୍ଧ ପଢ଼ିବାକୁ ମିଳିବ। ମୁଖ୍ୟତଃ ଓଡ଼ିଆ ସାହିତ୍ୟ ଓ ଭାଷାକୁ ନେଇ ଏହି ପ୍ରବନ୍ଧ ସଙ୍କଳନ। କିଛି କିଛି ପ୍ରବନ୍ଧ ସାଂପ୍ରତିକ ସମୟର ଓ ସମାଜକୁ ନେଇ ରଚିତ। ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଶା ସଂସ୍କୃତି, ଆମେ ଓ ଆମ ସଂସ୍କୃତିକୁ ନେଇ ପ୍ରବନ୍ଧଗୁଡ଼ିକ ଖୁବ୍ ଭଲ। ଏକବିଂଶ ଶତାବ୍ଦୀର ପୃଥିବୀ, ସମାଜର ପୁନର୍ଗଠନରେ ସାହିତ୍ୟର ଭୂମିକା, ସମ୍ବାଦ ଓ ସାହିତ୍ୟ ଏହି ସବୁ ତାତ୍ତ୍ଵିକ ପ୍ରବନ୍ଧକୁ ଛାଡ଼ିଦେଲେ ଅବଶିଷ୍ଟ ସବୁ ଓଡ଼ିଆ ସାହିତ୍ୟ ଉପରେ ପର୍ଯ୍ୟବସିତ।

‘ଜନଜୀବନରେ ଓଡ଼ିଆ ସାହିତ୍ୟ’ ଏକ ଭାବ ଗର୍ଭକ ପ୍ରବନ୍ଧ। ଏଥିରେ ସେ ଓଡ଼ିଆ ସାହିତ୍ୟର ଏକ ୩୬୦ ଡିଗ୍ରୀ ଆକଳନ କରିଛନ୍ତି। ତାଙ୍କ ମତରେ ଓଡ଼ିଆ ସାହିତ୍ୟର ଆଦି ଉନ୍ମେଷ ଲୋକଜୀବନ ଓ ନିମ୍ନ ବର୍ଗକୁ ନେଇ। ଚର୍ଯ୍ୟା ଗୀତିକାରେ ଶବର, ଡମ୍ବି, ଚଣ୍ଡାଳୁଣୀ ପ୍ରଭୃତି ସମ୍ପ୍ରଦାୟର ଜୀବନ ଚିତ୍ର ଉପସ୍ଥାପିତ ହୋଇଛି। ମଧ୍ୟଯୁଗର ସାହିତ୍ୟକୁ ସେ କହିଛନ୍ତି ସାମନ୍ତ ବର୍ଗର ସାହିତ୍ୟ। ଏଥିରେ ରାଜକୁମାର, ରାଜକୁମାରୀ, ସଖା ଓ ସଖୀ ହେଇଛନ୍ତି ମୁଖ୍ୟ। ସୁତରାଂ ସାହିତ୍ୟରେ ଲୋକ ଜୀବନ ବା ଜନଜୀବନର ପରିପ୍ରକାଶ ଏକ ଆଧୁନିକ ବିଚାର ବୋଲି ପ୍ରଫେସର ସାମଲ ଯୁକ୍ତି ବାଢ଼ିଛନ୍ତି।

‘ଗଣନାଟ୍ୟ ପରମ୍ପରା, ପଲ୍ଲୀ ଜୀବନ ଓ ବୈଷ୍ଣବ ପାଣି’ ମଧ୍ୟ ଏକ ଉପାଦେୟ ପ୍ରସଙ୍ଗ। ବୈଷ୍ଣବ ପାଣିଙ୍କୁ ଏକ ଅମଳିନ କୀର୍ତ୍ତିସ୍ତମ୍ଭ ବୋଲି ବିବେଚନା କରିବା ସହ ଦାରିଦ୍ର୍ୟ ନୀପିଡ଼ନ – ବ୍ୟାଧି ସୈତାନର ନିତ୍ୟ ନିୟତ ଦଂଶନର ଜ୍ୱାଳାରେ ସେ କ୍ଷତ ବିକ୍ଷତ ହୋଇଥିଲେ ହେଁ ସେ ଓଡ଼ିଶାର ଜନସାଧାରଣଙ୍କୁ ଦେଇଯାଇଛନ୍ତି ଗୀତଭିନୟର ଅନନ୍ତ ରସ ସାଗର। ପାଣି କବି ଏ ଜାତିର ଶାଶ୍ଵତ ପ୍ରେରଣା ବୋଲି କହିଛନ୍ତି ପ୍ରଫେସର ସାମଲ।

ପଢ଼ିବା ଭଳି ବହି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #AlokaAlokanaBilokana #BookReview #OdiaLiterature #Odisha

LEAVE A REPLY

Please enter your comment!
Please enter your name here