ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୫ ଜାନୁଆରି ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନକାର୍ଡ଼ ଯୋଗାଇ ଦିଆଯିବା। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
“ରାଜ୍ୟରେ ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି। ସେହିପରି ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମେ ଇ-କେୱାଇସି ଯାଞ୍ଚ ଆରମ୍ଭ କରିଥିଲୁ। ଗତ ୪ ମାସରେ ରାଜ୍ୟରେ ୧ ଲକ୍ଷ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି। ସେ ସମସ୍ତଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରି ମାସରୁ ନୂଆ ରାସନ କାର୍ଡ ମିଳିବା ଆରମ୍ଭ ହେବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇସାରିଲାଣି। ଏବେ ଆମେ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନ କାର୍ଡ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ।”
ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍ କାର୍ଡ ରହିଛି। ଏହା ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୩ କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା। ଯାହା ଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଥିରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି।
Tags: #NewRationCard #E-KYC #PublicDistribution #Odisha