ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସହ ମେଘୁଆ ପାଗ ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଏହାସହ ଟ୍ଵିନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୁକ୍ରବାରଠାରୁ ଲଗାଣ ବର୍ଷା ଜାରି ରହିଛି।
ଓଡ଼ିଶାରେ ଏବେ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଡିସେମ୍ବର ୨୩ ତାରିଖରେ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏଁ କମି ଶୀତ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପଟେ ସକ୍ରିୟ ଅବପାତଟି ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୨ ତାରିଖ ଯାଏଁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହାସହ ଚାଷୀମାନଙ୍କୁ ଅମଳ କରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।
Tags: #Weather #LowPressure #Rainfall #Winter #MCBBSR #Odisha