ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ। ଡିସେମ୍ବର ୨୧ ତାରିଖରେ ସବୁଠୁ ଛୋଟ ଦିନ ଦେଖିବାକୁ ଯାଉଛନ୍ତି ବିଶ୍ୱବାସୀ। ଏନେଇ ସୂଚନା ଦେଇଛନ୍ତି ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।

ଆଜି ଭୁବନେଶ୍ଵରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ। ସେହିପରି ରାତି ସମୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଓଡ଼ିଶାର ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଅବଧି ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ୍ ହେବ।

ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଅବଧି ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ। ପ୍ରତିବର୍ଷ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏଁ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ ବୋଲି ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଡିସେମ୍ବର ୨୫ ତାରିଖକୁ ଆମେ ‘ବଡ଼ଦିନ’ ରୂପେ ପାଳନ କରିଥାଉ। ତେବେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ତାହା ହିଁ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଏହାକୁ ‘ୱିଣ୍ଟର ସଲଷ୍ଟାଇସ’ କୁହାଯାଏ।

ଏପରି ହେବାର କାରଣ?

ଆମେ ଜାଣିଛେ ଯେ ପୃଥିବୀ ନିଜ କକ୍ଷ ପଥରେ ପ୍ରାୟ ୨୩.୫ ଡିଗ୍ରୀ ଢଳିରହି ସୂର୍ଯ୍ୟ ଚାରିପଟେ ଘୁରୁଛି। ସେଥିପାଇଁ ପୃଥିବୀରେ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ କିମ୍ବା ଏକା ଜାଗାରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ।

ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟକ୍ରାନ୍ତିରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ। ଏହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟଣ ଗତି କହିଥାଉ। ଏଥିରେ ୨୨ ଡିସେମ୍ବର ସମୟରେ ଦକ୍ଷିଣ ଦିଗକୁ ଢଳି ଢଳି ସୂର୍ଯ୍ୟ ବିଷୁବ ରେଖାରୁ ୨୩.୫ ଡିଗ୍ରୀ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ।

ଏହାପରେ ସୂର୍ଯ୍ୟ ପୁଣି ଦକ୍ଷିଣ ଗୋଲାର୍ଦ୍ଧର ମକର କ୍ରାନ୍ତିରୁ ଉତ୍ତର ଗୋଲାର୍ଦ୍ଧର କର୍କଟକ୍ରାନ୍ତି ଆଡ଼କୁ ଗତି କରିଥାଏ। ଏହାକୁ ଉତ୍ତରାୟଣ ଗତି କୁହାଯାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

ଭାରତରେ ଡିସେମ୍ବର ୨୨ ତାରିଖ ପରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନ ବଡ଼ ହେବାକୁ  ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫ ତାରିଖର ‘ବଡଦିନ’ ନାମକରଣର ଯଥାର୍ତତା ରହିଛି। ସେହି କ୍ରମରେ  ମାର୍ଚ୍ଚ ମାସ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ଜୁନ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ।

ପୃଥିବୀର ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନ ରାତିର ସମୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ।  ସେଠାରେ ଶୀତ ଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ଓ ଖରା ଦିନେ ଦିନ ସବୁ ବହୁତ ବଡ଼ ହୋଇଥାଏ। ସେହିପରି ମେରୁରେ ବର୍ଷର ୬ ମାସ ସମ୍ପୂର୍ଣ୍ଣ ଭାବେ ଦିନ ହୋଇଥିବାବେଳେ ୬ ମାସ ସମ୍ପୂର୍ଣ୍ଣ ରାତି ରହିଥାଏ।

Tags: #SmallestDay #SunMovement #Earth #Geography #India

LEAVE A REPLY

Please enter your comment!
Please enter your name here