ଓଡ଼ିଶାଲାଇଭ୍ ବ୍ୟୁରୋ

ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନ ନେବେ। ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ।

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଦାୟିତ୍ଵ ଦିଆଯାଇଛି।

ଡକ୍ଟର ହରିବାବୁ କମ୍ଭମପତି ପୂର୍ବେ ଆନ୍ଧ୍ରପ୍ରଦେଶର ବିଜେପି ସଭାପତି ଥିଲେ। ସେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବିଶାଖାପାଟଣା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୨୦୨୧ ଜୁଲାଇ ମାସରେ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ଅନ୍ଯପଟେ ମଙ୍ଗଳବାର ଓଡ଼ିଶା ସମେତ ମୋଟ ୫ଟି ରାଜ୍ଯରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ଏହି କ୍ରମରେ ପୂର୍ବତନ ସେନାଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ ମିଜୋରାମର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ସେହିପରି ବିହାରର ରାଜ୍ଯପାଳ ରାଜେନ୍ଦ୍ର ବିଶ୍ଵନାଥ ଅର୍ଲେକର କେରଳର ନୂଆ ରାଜ୍ୟପାଳ ହୋଇଛନ୍ତି। ଏହାସହ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ଅଜୟ କୁମାର ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

Tags: #DrHaribabuKambhampati #Governor #Odisha #India

Comment