ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକ ଆୟ ଆଶାରେ ବିନିଯୋଗ କରିଥିଲେ ୮ ଲକ୍ଷ, ହେଲେ ମିଳିଲାନି ଟଙ୍କାଟିଏ, ଶେଷରେ ୟୁଟ୍ୟୁବକୁ ବାଏ କହିଲେ ନଳିନୀ ଉନଗର

ଟଙ୍କା ରୋଜଗାର କରିବାର ଆଶା ଏବଂ ନିଶା ଅନେକଙ୍କର ଥାଏ। ତେବେ ସମସ୍ତଙ୍କର ବାଟ ଭିନ୍ନ ଭିନ୍ନ ହୋଇଥାଏ। କିଏ ଟଙ୍କା ରୋଜଗାର କରିବା ପାଇଁ ଚାକିରି କରିଥାଏ ତ କିଏ ବ୍ୟବସାୟ ଆଉ କିଏ ସୋସିଆଲ ମିଡିଆକୁ ମାଧ୍ୟମ କରିଥାନ୍ତି। ଇନଷ୍ଟା ହେଉ କି ୟୁଟ୍ୟୁବ, ଏବେ ଏହା ରୋଜଗାର କରିବାର ଭଲ ବାଟ ହୋଇଥିବାରୁ ଏଥିରୁ ଟଙ୍କା ରୋଜଗାର କରିବାକୁ ଆଶା ରଖିଥିଲେ ନଳିନୀ ଉନଗର।

ୟୁଟ୍ୟୁବ କଣ୍ଟେଣ୍ଟ ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ନଳିନୀ। ତିନି ବର୍ଷ କାଳ ପରିଶ୍ରମ କରିଥିଲେ ମଧ୍ୟ ଟଙ୍କାଟିଏ ରୋଜଗାର କରିପାରିଲେନି ସେ। ଶେଷରେ ସେ ୟୁଟ୍ୟୁବ ଛାଡ଼ିବା ସହ ତାଙ୍କ ଚ୍ୟାନେଲରେ ଥିବା ୨୫୦ରୁ ଅଧିକ ଭିଡିଓକୁ ଡିଲିଟ କରିଦେଇଛନ୍ତି।

ନଳିନୀ ଉନଗର ୟୁଟ୍ୟୁବରେ ଏକ ରୋଷେଇ ଚ୍ୟାନେଲ ଖୋଲିଥିଲେ। ଏହି ଚ୍ୟାନେଲ ପାଇଁ ୮ ଲକ୍ଷରୁ ଅଧିକ ଟଙ୍କା ପୁଞ୍ଜି ନିବେଶ କରିଥିଲେ ନଳିନୀ। କିଚେନ ସେଟଅପଠାରୁ ଆରମ୍ଭ କରି ଷ୍ଟୁଡିଓ ଉପକରଣ କିଣିବା ଏବଂ ତାଙ୍କ ଭିଡିଓର ପ୍ରଚାର ପ୍ରସାର ପାଇଁ ଏହି ଟଙ୍କା ଖର୍ଚ୍ଚ କରିଥିଲେ ସେ। ବହୁ ଚେଷ୍ଟା କରିବା ପରେ ମଧ୍ୟ ୟୁଟ୍ୟୁବରୁ ସେ ଟଙ୍କାଟିଏ ବି ରୋଜଗାର କରିପାରି ନଥିଲେ। ଆର୍ଥିକ କ୍ଷତି ସହିବାରୁ ବାଧ୍ୟ ହୋଇ ସେ ନିଜ ରୋଷେଇ ଚ୍ୟାନେଲକୁ ବନ୍ଦ କରିଦେଲେ।

ନଳିନୀ ୟୁଟ୍ୟୁବରେ କଣ୍ଟେଣ୍ଟ କରି ବିଫଳ ହେବା ପରେ ରୋଷେଇ ଉପକରଣ ଏବଂ ଷ୍ଟୁଡିଓ ଉପକରଣ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସାମଗ୍ରୀ ବିକ୍ରି କରିବା ନେଇ ସୋସିଆଲ ମିଡିଆ ଜରିଆରେ ସେ ଘୋଷଣା ମଧ୍ୟ କରିଥିଲେ।

୨୫୦ରୁ ଅଧିକ ଭିଡିଓ ତିଆରି କରିବା ପରେ ମଧ୍ୟ କୌଣସି ରିଟର୍ଣ୍ଣ ଦେଖୁ ନଥିଲେ ବୋଲି ନଳିନୀ କହିଛନ୍ତି। ଏହି କାରଣରୁ ସେ ୟୁଟ୍ୟୁବରୁ ନିଜର ସମସ୍ତ କଣ୍ଟେଣ୍ଟ ଡିଲିଟ୍ କରି ଦେଇଥିଲେ।

ନଳିନୀ କୁହନ୍ତି, “ରୋଜଗାର କରିବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସବୁବେଳେ ଭରସା କରିହେବନି। ବେଳେବେଳେ ଭାଗ୍ୟ ଉପରେ ମଧ୍ୟ ଭରସା କରିବାକୁ ପଡ଼େ। ଏହି ବାଟ କାହାକୁ କୋଟିପତି କରୁଛି ତ କାହାକୁ ପଛକୁ ଠେଲିଦେଉଛି। ହେଲେ ମୁଁ ଏ କ୍ଷେତ୍ରରେ ବିଫଳ ହୋଇଛି।”

ନଳିନୀଙ୍କ ମନ୍ତବ୍ୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ କଣ୍ଟେଣ୍ଟ କ୍ରିଏଟରମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ୟୁଟ୍ୟୁବର କହିଛନ୍ତି ନଳିନୀ ନିଜ ଚ୍ୟାନେଲରୁ ଭିଡିଓଗୁଡ଼ିକୁ ଡିଲିଟ କରିବାର ନଥିଲା। ଏହି କଣ୍ଟେଣ୍ଟଗୁଡ଼ିକ ହୁଏତ ଅନ୍ୟ କାହାକୁ ସହାୟତା କରିପାରିଥାନ୍ତା।

ଅନ୍ୟ ଜଣେ କହିଛନ୍ତି, ୟୁଟ୍ୟୁବରୁ ରୋଜଗାର କରିବାକୁ ହେଲେ ଧୈର୍ଯ୍ୟ ଧରିବାକୁ ପଡ଼ିଥାଏ। ତିନିବର୍ଷ ବଡ଼ କଥା ନୁହେଁ, ଅନେକ ୟୁଟ୍ୟୁବରଙ୍କୁ ସଫଳ ହେବା ପାଇଁ ୫ ବର୍ଷରୁ ଅଧିକ ସମୟ ଲାଗିଯାଇଛି।

ୟୁଟ୍ୟୁବ ଚ୍ୟାନେଲ ବନ୍ଦ କରି ନଳିନୀ ଚର୍ଚ୍ଚାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବିଭିନ୍ନ ଘଟଣାକୁ ନେଇ ସେ ବିବାଦରେ ରହିଛନ୍ତି। ଗତବର୍ଷ ନିରାମିଷ ଓ ଶରୀର ଗଠନକୁ ନେଇ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସହ ନଳିନୀଙ୍କର ଝଗଡ଼ା ହୋଇଥିଲା। ପ୍ରସବ ପରବର୍ତ୍ତୀ ଓଜନ ବୃଦ୍ଧି ପାଇଁ ଟ୍ରୋଲ କରିବା ପରେ ସ୍ୱରା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଘଟଣା ପରେ ଚର୍ଚ୍ଚାକୁ ଆସିଥିଲେ ନଳିନୀ ଉନଗର।

Tags: #YouTubeChannel #Career #NaliniUnagar

LEAVE A REPLY

Please enter your comment!
Please enter your name here