ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ। ସେମାନଙ୍କୁ ନୂଆ ରାସନ କାର୍ଡରୁ ବାଦ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ ଏଥିରେ ଅନେକ ନକଲି ରାସନ କାର୍ଡଧାରୀ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।   

“ରାଜ୍ୟରେ ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି। ସେହିପରି ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମେ ଇ-କେୱାଇସି ଯାଞ୍ଚ ଆରମ୍ଭ କରିଥିଲୁ। ଗତ ୪ ମାସ ହେଲା ଏହି ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଭିନ୍ନ ଜିଲ୍ଲାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଥିବାବେଳେ ସେମାନଙ୍କ ନାଁରେ ରାସନ କାର୍ଡ ଚାଲୁଥିବା ଚିହ୍ନଟ ହୋଇଛି”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୨୪ ବର୍ଷ ଧରି ରାଜ୍ୟରେ ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି। ଆମେ ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରି ମାସରୁ ନୂଆ ରାସନ କାର୍ଡ ଦେବାକୁ ଯୋଜନା କରିଛୁ।”

ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି। ଏହା ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା। ଯାହା ଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଥିରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି।    

Tags: #NewRationCard #E-KYC #PublicDistribution #Odisha

Comment