ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇର ଜଣେ ୭୩ ବର୍ଷୀୟା ବୃଦ୍ଧ ମହିଳା ହମିଦା ବାନୋ ପାକିସ୍ତାନରେ ଦୀର୍ଘ ୨୨ ବର୍ଷ ଫସି ରହିବା ପରେ ଶେଷରେ ସ୍ଵଦେଶ ଫେରିଛନ୍ତି। ନିଜ ପରିବାର ସହ ପୁଣି ମିଶିବା ସମୟରେ ସେ ଭାବବିହ୍ଵଳ ହୋଇଯାଇଥିଲେ। ତାଙ୍କ ପରିବାର ନିଜ ଆତ୍ମୀୟଙ୍କୁ ପୁଣି ଫେରିପାଇ ଖୁସି ବ୍ୟକ୍ତ କରିଛନ୍ତି। ହମିଦା ନିଜ ଜୀବନରେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଭଳି ପରିସ୍ଥିତିରେ ଆଉ କେହି ନପଡ଼ନ୍ତୁ ବୋଲି କାମନା କରିଛନ୍ତି।
ହମିଦାଙ୍କ ଦୁଃଖ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ମୁମ୍ବାଇର ବିକ୍ରୋଲିରେ ଥିବା ଜଣେ ଏଜେଣ୍ଟ ତାଙ୍କୁ ଦୁବାଇରେ ଗୃହ ସହାୟିକା ଭାବରେ ଏକ ଲୋଭନୀୟ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ, ଏଜେଣ୍ଟ ଜଣଙ୍କ ତାଙ୍କୁ ଅନ୍ୟ ୪ ଜଣ ମହିଳାଙ୍କ ସହ ପାକିସ୍ତାନ ନେଇଯାଇ କିଛି ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ଦେଇଥିଲେ। କୌଣସି ପରିଚୟ ପତ୍ର ନଥିବାରୁ ସେ ପାକିସ୍ତାନର ସିନ୍ଧ ରାଜ୍ୟର ହାଇଦ୍ରାବାଦ ସହରରେ ଫସି ରହିଥିଲେ। ଯାହା ଫଳରେ ତାଙ୍କ ଭାରତୀୟ ପରିଚୟ ପ୍ରମାଣ କରିବା ଅସମ୍ଭବ ହୋଇପଡ଼ିଥିଲା।
ନିଜ ଦେଶରେ ପୁନର୍ବାର ପ୍ରବେଶ କରିବା ମୁହୂର୍ତ୍ତକୁ ମନେ ପକାଇ ହମିଦା କହିଛନ୍ତି, “ୱାଘା ସୀମାରେ ଭାରତୀୟ ତ୍ରିରଙ୍ଗା ଦେଖି ମୁଁ ବହୁତ ଖୁସି ହୋଇଥିଲି’। ଦୁଇ ଦଶନ୍ଧି ପରେ ନିଜ ଦେଶକୁ ଫେରି ମତେ ବହୁତ ଖୁସି ଲାଗୁଛି। ଏ ଭିତରେ ଭାରତରେ ବହୁତ ପରିବର୍ତ୍ତନ ହୋଇଯାଇଛି। ମୁମ୍ବାଇ ଏବେ ବହୁତ ଭିନ୍ନ ଦେଖା ଯାଉଛି”
ପାକିସ୍ତାନରେ ହମିଦାଙ୍କ ସଂଘର୍ଷ
ପାକିସ୍ତାନରେ କିଛି ବର୍ଷ ପରେ ହମିଦା ନିଜକୁ ଅସାଧୁ ଲୋକଙ୍କ କବଳରୁ ମୁକ୍ତ କରିଥିଲେ। ହେଲେ ତାଙ୍କ ବଞ୍ଚିବା ବହୁତ ସଂଘର୍ଷପୂର୍ଣ୍ଣ ଥିଲା। କୌଣସି ପରିବାର କିମ୍ବା ସାଙ୍ଗ ନଥିବାରୁ ସେ ଅପରିଚିତ ଲୋକଙ୍କ ଦୟା ଉପରେ ନିର୍ଭର କରୁଥିଲେ। ଜଣେ ଫଳ ବିକ୍ରେତା ତାଙ୍କୁ ବର୍ଷ ବର୍ଷ ଧରି ସମର୍ଥନ କରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ବହୁତ ଭଲ ଥିଲେ ବୋଲି ହାମିଦା କହିଛନ୍ତି।
୨୦୨୨ରେ ହମିଦା ପାକିସ୍ତାନର ଜଣେ ସାମାଜିକ କର୍ମୀ ୱାଲିଉଲ୍ଲା ମାରୁଫଙ୍କୁ ଭେଟିବା ପରେ ତାଙ୍କ ଘରକୁ ସ୍ଵଦେଶ ଫେରିବା ଯାତ୍ରା ଆରମ୍ଭ ହୋଇଥିଲା। ନିଜ ଭାରତୀୟ ମୂଳ ବିଷୟରେ ଜାଣିବା ପରେ ମାରୁଫ୍ ସୋସିଆଲ ମିଡିଆ ଜରିଆରେ ମୁମ୍ବାଇର ସାମାଜିକ କର୍ମୀ ଖଫଲାନ ଶେଖଙ୍କ ସହ ଯୋଡ଼ି ହୋଇଥିଲେ। ଶେଖ ହମିଦାଙ୍କ ଏକ ଭିଡିଓ ସେୟାର କରିଥିଲେ, ଯାହା ଶେଷରେ କୁର୍ଲାରେ ତାଙ୍କ ଝିଅ ୟାସିମାଙ୍କ ପାଖରେ ପହଞ୍ଚିଥିଲା।
ଏହି ଭିଡିଓ ହମିଦାଙ୍କ ପରିବାର ପାଇଁ ଆଶା ଆଣିଦେଇଥିଲା। ୟାସିମା କହିଛନ୍ତି ଯେ ତାଙ୍କ ମା’ଙ୍କ ସ୍ଥିତି ଉପରେ ଗଣମାଧ୍ୟମ ରିପୋର୍ଟ ବ୍ୟାପକ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିଥିଲା ଏବଂ ସରକାରୀ ଦସ୍ତାବିଜ୍ ପ୍ରକ୍ରିୟାକୁ ସହଜ କରିଥିଲା। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ହମିଦାଙ୍କୁ ପାସପୋର୍ଟ ଦେଇଥିଲା ଏବଂ ପାକିସ୍ତାନୀ କର୍ତ୍ତୃପକ୍ଷ ପ୍ରତ୍ୟେକ ପର୍ଯ୍ୟାୟରେ ସହଯୋଗ କରିଥିଲେ।
ଡିସେମ୍ବର ୧୬ ତାରିଖରେ ହମିଦା ୱାଘା ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିଥିଲେ। ଏ ସଂପର୍କରେ ତାଙ୍କ ପରିବାରକୁ ଆଗୁଆ ସୂଚନା ଦିଆଯାଇଥିଲା ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ପରିବାର ବର୍ଗ ଉତ୍ସୁକତାର ସହ ଅପେକ୍ଷା କରିଥିଲେ।
୨୦୦୨ମସିହାରେ ତାଙ୍କ ସ୍ୱାମୀ ହନିଫଙ୍କ ଦେହାନ୍ତ ହୋଇଥିଲା। ତେବେ ନିଜ ସନ୍ତାନ ଓ ନାତିନାତୁଣୀଙ୍କ ସହ ତାଙ୍କର ପୁନର୍ମିଳନ ତାଙ୍କୁ ଅତ୍ୟନ୍ତ ଆନନ୍ଦ ଆଣି ଦେଇଥିଲା।
ହମିଦା ଆଶା କରନ୍ତି ଯେ ତାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ସତର୍କ ଭାବରେ କାର୍ଯ୍ୟ କରିବ। ଭାରତ ଓ ବାଂଲାଦେଶର ଅନେକ ମହିଳା ଏଜେଣ୍ଟଙ୍କ ଦ୍ୱାରା ପ୍ରତାରିତ ହୋଇ ଏବେ ବି ପାକିସ୍ତାନରେ ଫସି ରହିଛନ୍ତି ବୋଲି ସେ କହିଛନ୍ତି। ତେଣୁ ବିଦେଶରେ ଚାକିରି କରିବାକୁ ଯାଉଥିଲେ ସବୁବେଳେ ସଚ୍ଚୋଟ ଲୋକ କିମ୍ବା ସରକାରୀ ଏଜେନ୍ସିଙ୍କ ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି।
Tags: #HamidaBano #IndianLady #Pakistan #Mumbai #India