ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲ ବାବଦରେ କ୍ଷତିପୂରଣ ପ୍ରଦାନ କରିବେ ରାଜ୍ୟ ସରକାର। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
“ଓଡ଼ିଶାରେ ଡିସେମ୍ବର ୨୦ ତାରିଖରୁ ଅଦିନିଆ ବର୍ଷା ଲାଗି ରହିଥିଲେ। ଏଥିରେ ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ଡିସେମ୍ବର ୩୦ ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯିବ। ଏହାପରେ ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ କ୍ଷତି ପାଇଁ ବି କ୍ଷତିପୂରଣ ଦିଆଯିବ। ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ ଉଭୟ କ୍ଷତିପୂରଣ ପାଇବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ତେବେ କ୍ଷତିପୂରଣ ପାଇଁ ଏ ଯାଏଁ ବୀମା କରିଥିବା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି। କୃଷି ରକ୍ଷକ ପୋର୍ଟାଲରେ କ୍ଷତିଗ୍ରସ୍ତ ଚାଷୀ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀମାନେ କୃଷି ରକ୍ଷକ ଆପର ଟୋଲ ଫ୍ରି ନମ୍ବର ୧୪୪୪୭ରେ ଆବେଦନ କରିପାରିବେ।
ରାଜ୍ୟରେ ଅଦିନିଆ ବର୍ଷାରେ ଫସଲହାନୀ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସବୁ ଜିଲ୍ଲା ପ୍ରଶାସନକୁ ଫସଲ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ କୁହାଯାଇଛି।
Tags: #Rainfall #CropLoss #Compensation #Farmers #CMMohanCharanMajhi #Odisha